କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ରେଙ୍ଗାଲି ଥାନା ଅଞ୍ଚଳରେ ପୋଲିସ ଦ୍ୱାରା ଯାଞ୍ଚ ବେଳେ ଚୋରି ହୋଇଥିବା ଏକ ମୋଟରସାଇକେଲ୍ ଜବତ ହେବା ସହ ଜଣେ ଚାଳକଙ୍କୁ ଗିରଫ କରାଯାଇଛି।
ଗତକାଲି ମଧ୍ୟାହ୍ନରେ ରେଙ୍ଗାଳି ଥାନା ଅଧୀନ ପୋଡ଼ଗଡ଼ ପାର୍ଶ୍ୱରେ ଏସ୍.ଆଇ. ତ୍ରିନାଥ ଦେହୁରୀଙ୍କ ନେତୃତ୍ୱରେ ଏକ ଦଳ ଏମ୍.ଭି. ଯାଞ୍ଚ କରୁଥିଲେ। ସେହି ସମୟରେ ଯାଜପୁର ଜିଲ୍ଲା ବାରୂହଁା ସଦର ଥାନା ଅଞ୍ଚଳର ଖଦୀପଡ଼ା ଗାଁର ବ୍ରହ୍ମାନନ୍ଦ ବିନ୍ଧାଣି (ବିନା ହେଲମେଟରେ) ଏକ ‘ହିରୋ ଗ୍ଲାମର’ (ନମ୍ବର ଓଡି ୦୫ଏଡି ୮୨୨୦) ଧରି ଯାଉଥିଲେ।
ଉକ୍ତ ଗାଡ଼ି ନମ୍ବରକୁ ଅନ୍ଲାଇନ୍ ଚାଲାଣ କରିବା ବେଳେ ତାହା ଏକ ‘ଆକ୍ଟିଭା’ ଗାଡ଼ିର ନମ୍ବର ବୋଲି ଜଣାପଡ଼ିଥିଲା। ଅଧିକ ତଦନ୍ତ ପରେ ‘ହିରୋ ଗ୍ଲାମର’ର ପ୍ରକୃତ ନମ୍ବର ଓଡି ୩୩ବି ୭୬୭୮ ବୋଲି ଜଣାପଡ଼ିଥିଲା। ଏହି ଗାଡ଼ିଟି ଜଟଣୀ ଥାନା ଅଞ୍ଚଳର କୁତିଆଳି ଗାଁରୁ ଚୋରି ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା।
ଏହା ଜଣାପଡ଼ିବା ପରେ ରେଙ୍ଗାଲି ଥାନାରେ କେସ୍ ନମ୍ବର ୨୦୫/୨୫ ରୁଜୁ କରାଯାଇଛି ଏବଂ ଚାଳକ ବ୍ରହ୍ମାନନ୍ଦ ବିନ୍ଧାଣିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ରେଙ୍ଗାଲି ଥାନା ଦାୟିତ୍ୱରେ ଥିବା ଆଇ.ଆଇ.ସି. ବିଶ୍ୱମ୍ବର ପ୍ରଧାନ ଏହି ସୂଚନା ଦେଇଛନ୍ତି।
