ଅନୁଗୁଳ: ବେକାରୀ ସମସ୍ୟାକୁ ମୂଳ ପୋଛ କରିବାକୁ ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। ଆଜି ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜଙ୍କ ନେତୃତ୍ୱରେ ଓ ପୂର୍ବତନ ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସଂପାଦକ ପ୍ରଦ୍ୟୁମ୍ନ ସାହୁଙ୍କ ତତ୍ତ୍ୱାବଧାନରେ ଶତାଧିକ କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ସେମାନେ ରାଜ୍ୟରେ ଖାଲିଥିବା ଦୁଇ ଲକ୍ଷ ଛବିଶି ହଜାର ସରକାରୀ ପଦକୁ ପୂରଣ କରିବାକୁ ଦାବି କରିଥିଲେ। ଏଥିସହ ସମସ୍ତ ଘରୋଇ ଶିଳ୍ପ ପ୍ରତିଷ୍ଠାନରେ ଅଶୀ ପ୍ରତିଶତ ଓଡ଼ିଆ ଲୋକଙ୍କୁ ନିଯୁକ୍ତି, ଯେଉଁ ପ୍ରବାସୀ ଓଡ଼ିଆ ଓଡିଶାକୁ ଫେରି ଜୀବିକା ନିର୍ବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ, ବେକାରୀ ଭତ୍ତା ପାଞ୍ଚ ହଜାର ଟଙ୍କା ଦିଆଯାଉ ବୋଲି ଦାବି କରିଥିଲେ। ଏହି ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଛାତ୍ର କଂଗ୍ରେସ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଆଜିର କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର, ଜିଲ୍ଲା କଂଗ୍ରେସ ଉପ -ସଭାପତି ଦୁଷ୍ମନ୍ତ ଦଳ ବେହେରା, ଚିତ୍ତରଂଜନ ନାଏକ, ଶତ୍ରୁଘ୍ନ ସାହୁ, କିଷାନ କଂଗ୍ରେସ ରାଜ୍ୟ ଉପ ସଭାପତି ଉମେଶ ଚନ୍ଦ୍ର ସାହୁ, ବରିଷ୍ଠ କଂଗ୍ରେସ ନେତା ବଲବୀର ସିଂ, କୁମୁଦବନ୍ଧୁ ଧର, ଗୋପୀନାଥ ସାହୁ, ସହଦେବ ବେହେରା, ଲକ୍ଷ୍ମୀଧର ବରାହ, କ୍ଷେତ୍ରବାସୀ ରାଜହଂସ, ସରୋଜ ସାହୁ, ସୁମନ ନାୟକ, କଣିହାଁ ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ ସାମଲ, ପାଳଲହଡା ବ୍ଲକ କଂଗ୍ରେସ ସଭାପତି ଦୋଳ ଗୋବିନ୍ଦ ସାହୁ ପ୍ରମୁଖ ବହୁ ଛାତ୍ର ନେତା ଉପସ୍ଥିତ ଥିଲେ।