ଆଠମଲ୍ଲିକ : ବାର୍ଦ୍ଧକ୍ୟ ଭତ୍ତା ପାଇବାରେ ବାଧକ ସାଜିଛି ଭୋଟ ପରିଚୟ। ଭୋଟ ପରିଚୟ ପତ୍ରରେ ବୟସ ଓ ପ୍ରକୃତ ବୟସ ଭିତରେ ତାରତମ୍ୟ ଥିବାରୁ ବାର୍ଦ୍ଧକ୍ୟ ଭତ୍ତା ପାଉନଥିବାରୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତର ଜାନକୀ ସାହୁ।
ଜାନକୀଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ଭୋଟ ପରିଚୟ ପତ୍ରରେ ୬୦ ବର୍ଷରୁ ଅଧିକ ହୋଇଥିବାରୁ ସେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଥିଲେ। କିନ୍ତୁ ସେଠାରେ ତାଙ୍କ ବୟସ ୫୦ ବର୍ଷ ବୋଲି କହି ବ୍ଲକ ପ୍ରଶାସନ ଫେରାଇ ଦେଇଥିଲା। ଏଣୁ ନ୍ୟାୟ ପାଇଁ ସେ ସୋମବାର ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଦ୍ୱାରସ୍ଥ ହୋଇଥିଲେ।ଉପଜିଲ୍ଲାପାଳ ତାଙ୍କ ଭୋଟ ପରିଚୟ ପତ୍ରକୁ ଯାଞ୍ଚ କରିବା ପରେ ସେ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଯୋଗ୍ୟ ବୋଲି କହିବା ସହ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।
ପ୍ରକାଶ ଯେ ଜାନକୀ ସାହୁ ଗୋପୀନାଥପୁର ଅଙ୍ଗନବାଡି କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ପାଚିକା ସହାୟିକା ଭାବେ କାର୍ଯ୍ୟ କରିଆସୁଥିଲେ। ଭୋଟ ପରିଚୟ ପତ୍ରରେ ୧୯୯୪ ମସିହାରେ ଜାନକୀଙ୍କ ବୟସ ୩୫ ବର୍ଷ ଉଲ୍ଲେଖ ଥିବାରୁ ୬୦ ବର୍ଷ ପୂରିବା ପରେ ସେ ଅଙ୍ଗନବାଡି ସହାୟିକା ପଦବୀରୁ ଅବସର ନେଇଥିଲେ। ଏହା ପରେ ଜାନକୀ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ସୋମବାର ଜାନକୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌଭାଗ୍ୟ ବେହେରାଙ୍କୁ ସାକ୍ଷାତ କରି ଭତ୍ତା ସମ୍ପର୍କରେ ପଚାରିଥିଲେ। ବିଡିଓ ଏ ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିକୁଞ୍ଜ ରଞ୍ଜନ ଦାସଙ୍କଠାରୁ ତଥ୍ୟ ମାଗିଥିଲେ। ସେ ସିଇଓ ୱେବ ସାଇଟରୁ ଏକ ଭୋଟର ଲିଷ୍ଟ ବାହାର କରିଥିଲେ। ସେଥିରେ ଜାନକୀଙ୍କ ବୟସ ୫୦ ବର୍ଷ ଲେଖା ଥିଲା। ଏଣୁ ସେ ଭତ୍ତା ପାଇବାକୁ ଅଯୋଗ୍ୟ ବୋଲି କହିଥିଲେ। ତା ପରେ ଜାନକୀ ଉପଜିଲ୍ଲାପାଳଙ୍କୁ ଭେଟିବା ପରେ ତାଙ୍କ ଆବେଦନ ଗ୍ରହଣ ହୋଇଛି।