ଭୁବନେଶ୍ୱର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ରେସ୍ ରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ। କେବଳ ଔପଚାରିକତା ବାକି ଥିବା କୁହାଯାଉଛି।
ବ୍ରଜରାଜ ନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି ସୁରେଶ ପୂଜାରୀ। ୩ ଦିନ ହେଲା ଦିଲ୍ଲୀରେ ରହି ବିଜେପିର ଶୀର୍ଷ ନେତୃତ୍ୱ ଓ ସଂଗଠନର ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରି ସେ ଆଜି ଭୁବନେଶ୍ବର ଫେରିଛନ୍ତି। ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପଦରେ ବସା ଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ ୨୦୧୯ରେ ବରଗଡ଼ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ ସୁରେଶ। ସେ ଛାତ୍ର ଜୀବନରୁ ରାଜନୀତିରେ ଅଛନ୍ତି।
ସେହିପରି ୨ ଜଣ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି। ଏହି ପଦ ପାଇଁ ମନମୋହନ ସାମଲ,କେଭି ସିଂହଦେଓ, ମୋହନ ମାଝି, ରବି ନାୟକ ପ୍ରମୁଖଙ୍କ ନାଁ ସାମ୍ନାକୁ ଆସୁଛି।