ତାଳଚେର:-ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ଦାବୀରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ବୁଧବାର ୧୦୦ ଦିନରେ ପହଞ୍ଚିଛି । ୧୯୯୩ ମସିହାରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ତାଳଚେର ଠାରେ ଘୋଷଣା କରିଥିଲେ ଯେ, ଯେତେବେଳେ ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ରାଜ୍ୟ ସରକାର କରିବେ ସେତେବେଳେ ୩୧ ନଂ ଜିଲ୍ଲା ଭାବେ ତାଳଚେର ଘୋଷଣା କରାଯିବ । ବର୍ତମାନ ରାଜ୍ୟ ସରକାର ନୂତନ ଜିଲ୍ଲା ଘୋଷଣା କରିବା ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତାଳଚେରବାସୀଙ୍କ ଦୀର୍ଘ ଦିନର ଦାବୀକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ ପିତା ବିଜୁ ପଟ୍ଟନାୟକଙ୍କ ପ୍ରତିଶୃତିକୁ ରକ୍ଷା କରନ୍ତୁ ।
ତାଳଚେର-ପାଲଲହଡା ଓ ପରଜଙ୍ଗ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ତାଳଚେର ଜିଲ୍ଲା ଘୋଷଣା ଦାବୀ ଜୋର ଧରିଛି । ହଜାର ହଜାର କୋଟି ଟଙ୍କା ତାଳଚେରରୁ ରାଜ୍ୟ ଓ କେନ୍ଦ୍ର ସରକାର ଅଧିକ ରାଜସ୍ୱ ପାଉଥିବାବେଳେ ଏ ଅଞ୍ଚଳର ଠିକ୍ ଭାବେ ଉନ୍ନତି ହୋଇପାରି ନାହିଁ । ଖଣି ଓ କଳକାରଖାନା ଯୋଗୁଁ ଏଠାରେ ସବୁବେଳେ ଆଇନ୍ କାନୁନ୍ ପରିସ୍ଥିତି ସୃଷ୍ଟି ହେଉଛି ।
ଶହେ ଦିନର ଶାନ୍ତିପୂର୍ଣ୍ଣ ଧାରଣା ଅବସରରେ ଅପରାହ୍ନରେ ଏକ ଶୋଭାଯାତ୍ରାରେ ହାଟତୋଟା ଅଞ୍ଚଳ ପରିକ୍ରମା କରାଯାଇଥିଲା । ଗଣଧାରଣା ଓ ଶୋଭାଯାତ୍ରାରେ ଚୈତନ୍ୟ ପ୍ରଧାନ, ପଦ୍ମଚରଣ ସାମଲ, ଅଭୟ ପାଣି, ବିନୋଦ୍ ଲାଲ୍, ସଂଜୀବ ନାଏକ, ପ୍ରଫୁଲ ନାଏକ, ବାଉରୀବନ୍ଧୁ ବେଜ, ସୁକାନ୍ତ ଦାସ, ବଳରାମ କୁଣ୍ଡ, କେଶବ ଭୂତିଆ ସମେତ ବହୁ ସଂଖ୍ୟାରେ ଅଞ୍ଚଳବାସୀ ସାମିଲ ଥିଲେ ।