ତାଳଚେର: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ବର୍ଣ୍ଣାଢ଼୍ୟ ପରିବେଶରେ ପାରମ୍ପାରିକ ନୃତ୍ୟ, ସଙ୍ଗୀତ, ଝାଞ୍ଜ ଓ ବାଦ୍ୟ ମଧ୍ୟରେ ଅନୁଷ୍ଠିତ ହୋଇଛି। ୩୭ଟି ମେଢ଼ ବଡ଼ଦାଣ୍ଡସାହି ମେଳଣପଡ଼ିଆରୁ ଅପରାହ୍ଣ ୨ଟା ସମୟରେ ଶୋଭାଯାତ୍ରା ସହ ବଡ଼ବଜାର, ଫାଷ୍ଟଗେଟ୍ ଦେଇ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା। ପୋଲିସ୍ ପ୍ରଶାସନ ସୁରକ୍ଷା ପାଇଁ ବ୍ୟାପକ ମୁତୟନ କରିଥିଲା।
ଚଳିତ ବର୍ଷ ଲଡ଼ୁ ପ୍ରସ୍ତୁତିରେ ବିଭ୍ରାଟ ଦେଖାଦେଇଥିଲା। ରୋଷଶାଳା ନିକଟରେ ମଟନ ପ୍ରସ୍ତୁତି ଓ ଅଶୁଦ୍ଧ ପରିବେଶରେ ଲଡ଼ୁ ତିଆରି ହେବା ଅଂଚଳବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ଲଡ଼ୁ ନିଲାମ ପ୍ରକ୍ରିୟାରେ ବିଳମ୍ବ ଓ ଅସ୍ୱାଭାବିକତା ଯୋଗୁଁ କେନ୍ଦ୍ରୀୟ ଗଣେଶ ପୂଜା କମିଟି ସଭାପତି ତଥା ଉପଜିଲ୍ଲାପାଳ ସମୀର ଜେନା ଓ କାର୍ଯ୍ୟକାରୀ ସଭାପତି ଏସଡିପିଓ ଭରତଚନ୍ଦ୍ର ସାହୁ ମଂଚରୁ ଇସ୍ତଫା ଦେଇଥିଲେ। ଲଡ଼ୁ ନିଲାମରେ ଜଣେ ୧୨ ଲକ୍ଷ ଟଙ୍କା ଡ଼ାକି ପଳାଇଥିବା ବେଳେ, ଅନ୍ୟ ଦୁଇଜଣ ନିଲାମ ନେବାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଶେଷରେ ପଟ୍ଟନାୟକ ବ୍ରଦର୍ସ ୪ ଲକ୍ଷ ୫୧ ହଜାର ଟଙ୍କାରେ ଲଡ଼ୁ ନିଲାମ ନେଇଥିଲେ। ପୂଜା କମିଟିର ସାଧାରଣ ସମ୍ପାଦକଙ୍କ ଅନୁପସ୍ଥିତି ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।