ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଗଣପର୍ବ ପ୍ରସିଦ୍ଧ ଗଣେଶ ପୂଜାର ପ୍ରସ୍ତୁତି ବୈଠକ ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ଡିସିଆଇ ହଲରେ ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ଉପଜିଲ୍ଲାପାଳ ସମୀର କୁମାର ଜେନା (ଆଇଏଏସ )ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସର୍ବସମ୍ମତିକ୍ରମେ ନିଆଯାଇଥିବା ପ୍ରସ୍ତାବ ଗୁଡ଼ିକ ଗୃହୀତ ହୋଇଥିଲା। ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଆସନ୍ତା ଅଗଷ୍ଟ ୨୭ ତାରିଖ ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର ୭ ତାରିଖ ଇନ୍ଦୁପୂର୍ଣ୍ଣିମା ତିଥିରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ଷ ଘୋଡ଼ାଶାଳ ଠାରୁ ହାଣ୍ଡିଧୂଆ ପର୍ଯ୍ୟନ୍ତ ପୂଜାମଣ୍ଡପ ଗୁଡ଼ିକୁ ଅଧିକ ଆକର୍ଷଣୀୟ ଓ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ ସମସ୍ତ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ଏହି ଅବସରରେ ଅନୁରୋଧ କରାଯାଇଥିଲା। ଏଥରକ ଡିଜେ ସାଉଣ୍ଡ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ହୋଇଥିଲା।
ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ତଥା କେନ୍ଦ୍ରୀୟ ପୂଜା କମିଟିର କାର୍ଯ୍ୟକାରୀ ସଭାପତି ଭରତଚନ୍ଦ୍ର ସାହୁଙ୍କ ସ୍ଥାନରେ ତାଳଚେର ଟାଉନ ଆଇ ଆଇ ସି ଦିଗବିଜୟ ବିଶ୍ଵାଳ ଓ କୋଲିୟରି ଥାନା ଅଧିକାରୀ ହରିକୃଷ୍ଣ ପ୍ରଧାନ ଉପସ୍ଥିତ ଥିଲେ। ଗତବର୍ଷର ଆୟବ୍ୟୟର ହିସାବକୁ କେନ୍ଦ୍ରୀୟ କମିଟିର କୋଷାଧ୍ୟକ୍ଷ ରଣଜିତ ମହାପାତ୍ର ବିବରଣୀ ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି କାଉନ୍ସିଲର ସ୍ଵାଧୀନ ଥମ୍ୱ, କମିଟିର ଉପସଭାପତି ଡ. ରଶ୍ମିରଞ୍ଜନ ମିଶ୍ର, ସାଧାରଣ ସଂପାଦକ ଦିଲ୍ଲୀପ କୁମାର ପାଣି, ସମୀକ୍ଷକ ଅଶୋକ ଶତପଥୀ, ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସାହୁ, ଦେବୀ ମିଶ୍ର, ଇ.ରମେଶ ଚନ୍ଦ୍ର ବେହେରା ଜୟନ୍ତ ଭୂତିଆ, ମିଡିଆ ସଂଯୋଜକ ତପନ କୁମାର ମହାରଣା, ଯୁଗ୍ମ ସମ୍ପାଦକ ନିରୋଜ ଦାସ, ସୌଭାଗ୍ୟ ମହାରଣା, ମାନସ ବାଇ ଓ ଜ୍ଞାନେଶ୍ଵର ସାହୁ, କୋଲିୟରୀ ଥାନା ଆଇଆଇସି ହରିକୃଷ୍ଣ ପ୍ରଧାନଙ୍କ ସମେତ ବିଭିନ୍ନ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।