ଅନୁଗୁଳ: , ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପିତ ହୋଇଛି। ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ ତାଳଚେର-ଅନୁଗୁଳ ରୋଡ୍ରେ ନିର୍ମିତ ବହୁପ୍ରତୀକ୍ଷିତ ‘ଘଣ୍ଟପଡ଼ା ରେଳ ଓଭର ବ୍ରିଜ’ର ଉଦଘାଟନ କରିଛନ୍ତି। ପ୍ରାୟ ୪୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଅଞ୍ଚଳବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟାଇଛି।
ପୂର୍ବରୁ ହାଣ୍ଡିଧୁଆ ନିକଟରେ ରେଳ ଫାଟକ ଯୋଗୁଁ ଯାତ୍ରୀମାନଙ୍କୁ ୪୫ ମିନିଟ୍ରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା। ବିଶେଷ କରି ମାଲବାହୀ ଟ୍ରେନ୍ ଚଳାଚଳ ଯୋଗୁଁ ଏହି ରାସ୍ତା ପ୍ରାୟତଃ ବନ୍ଦ ରହୁଥିଲା। ତାଳଚେର ସବ୍-ଡିଭିଜନର ୮ଟି ଗ୍ରାମ ପଞ୍ଚାୟତ ଓ ମ୍ୟୁନିସିପାଲିଟିର ପ୍ରାୟ ୪୦ ହଜାର ଜନସାଧାରଣ ଉପକୃତ ହେବେ।
ଘଣ୍ଟପଡ଼ା, ହାଣ୍ଡିଧୂଆ, ନାଲ୍କୋ, କୁଲାଡ୍ ଓ ତାଳଚେର ଟାଉନ୍ ଅଞ୍ଚଳର ଛାତ୍ରଛାତ୍ରୀ, ଶ୍ରମିକ ଓ ରୋଗୀମାନେ ନିରନ୍ତର ଯାତାୟାତର ସୁବିଧା ପାଇବେ। କୋଇଲା ଖଣି ଓ ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ଏହି ଅର୍ଥନୈତିକ ମେରୁଦଣ୍ଡ ଏବେ ଅଧିକ ସକ୍ରିୟ ହେବ।
ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର କୋଇଲା ମନ୍ତ୍ରୀ ଜି. କିଷାନ ରେଡ୍ଡୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ସମେତ MCL ର ସିଏମଡି ଉଦୟ ଏ କୋଏଲ ଏବଂ ବହୁ ସରକାରୀ ପଦାଧିକାରୀ ଉପସ୍ଥିତ ଥିଲେ।


