ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଜନ୍ତାଳ ପୂଜା: ପତିଆରଙ୍କ ଦେହରେ ଆବିଷ୍ଟ ହେଲେ ମା’

You are currently viewing ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଜନ୍ତାଳ ପୂଜା: ପତିଆରଙ୍କ ଦେହରେ ଆବିଷ୍ଟ ହେଲେ ମା’

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଆରାଧ୍ୟା ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପର୍ବ ରବିବାର ଗୋପାଳପ୍ରସାଦସ୍ଥିତ ମା’ କୁଟେଇଶୁଣୀ ପୀଠ ପରିସରରେ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି। ପରମ୍ପରା ଅନୁଯାୟୀ, ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ ମିନିଟ ସମୟରେ ମୁଖ୍ୟ ପୂଜକଙ୍କ ଦିଅଁଘରୁ ମା’ଙ୍କ ଚଳନ୍ତି ପ୍ରତିମା ‘ଆଲମ’କୁ ଏକ ଭବ୍ୟ ଶୋଭାଯାତ୍ରାରେ କୁଟେଇଶୁଣୀ ମଣ୍ଡପକୁ ଅଣାଯାଇଥିଲା। ସେଠାରେ ମୁଖ୍ୟ ପୂଜକ କିଶୋର ଚନ୍ଦ୍ର ଦେହୁରୀ ଓ ଟଙ୍କଧର ଦେହୁରୀ ଶାବର ମତରେ ମା’ଙ୍କର ମାର୍ଜନା, ସ୍ନାନ ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ପାରମ୍ପରିକ ରୀତିରେ ପାଇକମାନେ ପାଟଣା ସାହିସ୍ଥିତ ପତିଆରଙ୍କ ବାସଭବନକୁ ଯାଇ ତାଙ୍କୁ ନିମନ୍ତ୍ରଣ କରି ମଣ୍ଡପକୁ ପାଛୋଟି ଆଣିଥିଲେ।
​କୁଟେଇଶୁଣୀ ମଣ୍ଡପରେ ପତିଆର ତାଳଚେର ରାଜାଙ୍କ ପ୍ରଦତ୍ତ ନୂତନ ବସ୍ତ୍ର ପରିଧାନ କରିବା ପରେ ତାଙ୍କୁ ଦେବୀ ରୂପରେ ଷୋଡ଼ଶୋପଚାର ବିଧିରେ ପୂଜା କରାଯାଇଥିଲା। ଢୋଲ, ନିଶାଣ ଓ ମହୁରୀର ଶବ୍ଦ ମଧ୍ୟରେ ପତିଆରଙ୍କ ମସ୍ତକରେ ଗୁଡ଼ର ସହସ୍ରଧାର ଢଳାଯାଇ ଜନ୍ତାଳ ପୂଜା ସମ୍ପନ୍ନ ହୋଇଥିଲା। ବିଶ୍ୱାସ ରହିଛି ଯେ, ଏହି ସମୟରେ ପତିଆରଙ୍କ ଦେହରେ ମା’ ହିଙ୍ଗୁଳା ଆବିଷ୍ଟ ହୋଇ ନିଜର ଆବିର୍ଭାବ ସ୍ଥଳୀ ସମ୍ପର୍କରେ ସୂଚନା ପ୍ରଦାନ କରିଥାନ୍ତି। ସେହି ସୂଚନା ଆଧାରରେ ମୁଖ୍ୟ ଦେହୁରୀ ଅଧରାତିରେ ମା’ଙ୍କ ‘ଉଭା’ ସ୍ଥଳୀ ଚିହ୍ନଟ କରିବାର ବିଧି ରହିଛି। ଏହି ଆଧ୍ୟାତ୍ମିକ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ସମଗ୍ର ପରିବେଶ ‘ଜୟ ମା’ ହିଙ୍ଗୁଳା’ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।

Share

Leave a Reply