ବିଭିନ୍ନ କୋଇଲା ପ୍ରକଳ୍ପ ପାଇଁ ୨,୬୩,୨୬୮ ସଂଖ୍ୟକ ଗଛ କାଟିଛି MCL; ତାଳଚେର ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଲେ ଜଙ୍ଗଲ ମନ୍ତ୍ରୀ

You are currently viewing ବିଭିନ୍ନ କୋଇଲା ପ୍ରକଳ୍ପ ପାଇଁ ୨,୬୩,୨୬୮ ସଂଖ୍ୟକ ଗଛ କାଟିଛି MCL; ତାଳଚେର ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଦେଲେ ଜଙ୍ଗଲ ମନ୍ତ୍ରୀ

ଅନୁଗୁଳ: ବିଧାନସଭାରେ ତାଳଚେର କୋଇଲା କ୍ଷେତ୍ରରେ MCL ଦ୍ବାରା ଅଧିଗ୍ରହଣ କରାଯାଇଥିବା ଜମିର ପରିମାଣ ନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ। ତାଳଚେର ବିଧାୟକ ଶ୍ରୀ ପ୍ରଧାନ ଅଣତାରକା ପ୍ରଶ୍ନ ସଂଖ୍ୟା-୧୨୨୭ରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ପଚାରିଥିଲେ ଯେ ତାଳଚେର କୋଇଲା କ୍ଷେତ୍ରରେ MCL ଦ୍ବାରା ଆଜି ପର୍ଯ୍ୟନ୍ତ କେତେ ପରିମାଣର ଜମି ଅଧିଗ୍ରହଣ କରାଯାଇଛି, ସେଥିରୁ ଜଙ୍ଗଲ ଜମି କେତେ ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ବିଭିନ୍ନ କୋଇଲା ପ୍ରକଳ୍ପ ପାଇଁ MCL କେତେ ଗଛ କାଟନ୍ତି ଏବଂ ସେହି ଅନୁପାତରେ MCL ଦ୍ଵାରା ବୃକ୍ଷରୋପଣ ହୋଇନଥିବା ବିଷୟରେ ଅବଗତ ଅଛନ୍ତି କି ନାହିଁ ବୋଲି ପଚାରିଥିଲେ।

ଏହାର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଥିଲେ, ଜଙ୍ଗଲ (ସଂରକ୍ଷଣ ଏବଂ ସମ୍ବର୍ଦ୍ଧନ) ଅଧିନିୟମ, ୧୯୮୦ର ପ୍ରାବଧାନ ଅନୁଯାୟୀ ତାଳଚେର କୋଇଲା ଖଣି ଅଞ୍ଚଳରେ ମୋଟ ୪୮୩୧ ହେକ୍ଟର ଜଙ୍ଗଲ ଓ ଅଣଜଙ୍ଗଲ ଜମିକୁ ଭାରତ ସରକାରଙ୍କ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବ୍ୟବହାରିକ ସଂସ୍ଥା MCL ଙ୍କ ସପକ୍ଷରେ ଅନୁମୋଦନ ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ୨୩୨୭ ହେକ୍ଟର ଜଙ୍ଗଲ ଜମି। ସେହିପରି ଖଣି ଯୋଜନାର ଅନୁମୋଦନ ଆଧାରରେ MCL ବିଭିନ୍ନ କୋଇଲା ପ୍ରକଳ୍ପ ପାଇଁ ଆଜି ପର୍ଯ୍ୟନ୍ତ ୨,୬୩,୨୬୮ ସଂଖ୍ୟକ ଗଛ କାଟି ସାରିଛନ୍ତି ଏବଂ ସେହି ଅନୁପାତରେ MCL ଦ୍ବାରା ବୃକ୍ଷରୋପଣ କରାଯାଉଛି ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ।

Share

Leave a Reply