ତାଳଚେର: ଆସନ୍ତା ଜାନୁଆରୀ ୨୨ ରେ ପ୍ରତିଷ୍ଠା ହେବ ଅଯୋଧ୍ୟାର ପ୍ରଭୁ ଶ୍ରୀରାମଙ୍କ ମନ୍ଦିର। ଏ ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରୁ ସମଗ୍ର ଦେଶରେ ସମସ୍ତ ପରିବାରଙ୍କୁ ଭେଟି ପୂଜିତ ଅକ୍ଷତ ଦେବା ସହ ନିମନ୍ତ୍ରଣ ପତ୍ର ଦିଆଯିବାର ବ୍ୟବସ୍ଥା କରାଯାଇଛି।
ଆଜି ଅନୁଗୁଳ ଜିଲ୍ଲା ବନ୍ତଳା ଶ୍ରୀରାମ ମନ୍ଦିରରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ହୋମଯଜ୍ଞ ପୂଜାର୍ଚ୍ଚନା କରାଯିବା ସହ ଜିଲ୍ଲାର ବିଭିନ୍ନ ବ୍ଲକ ଓ ନଗରକୁ ପଠାଯାଇଛି। ତାଳଚେର ନଗର ପକ୍ଷରୁ ଅଶୋକ ଲାଲ ଅଗ୍ରୱାଲ, ପର୍ଶୁରାମ ବାରିକ, ସୂର୍ଯ୍ୟକାନ୍ତ ମହାନ୍ତି, ଦିବାକର ପ୍ରଧାନ, ହେମନ୍ତ ଘଡେଇ, ମାୟାଧର ସାହୁ ପ୍ରମୁଖ ବନ୍ତଳା ରାମ ମନ୍ଦିରରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ, ନିମନ୍ତ୍ରଣ ପତ୍ର ଓ ଭବ୍ୟ ମନ୍ଦିରର ଛବିକୁ ବିରାଟ ଶୋଭାଯାତ୍ରାରେ ପରିକ୍ରମା କରି ତାଳଚେରକୁ ଆଣିଥିଲେ। ତାଳଚେର ହାଟତୋଟା ମଙ୍ଗଳା ମନ୍ଦିରରେ ଅକ୍ଷତ କଳସ ପହଞ୍ଚିବା ପରେ ସେଠାରେ ଦେଉଳବେଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ବାବୁଲି ସାମଲଙ୍କ ପରିଚାଳନାରେ ଘୋଷଯାତ୍ରା ସହିତ ନଗର ପରିକ୍ରମା କରି ହନୁମାନ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିରରେ ତାହାକୁ ରଖାଯାଇଛି। ଏହି ଅକ୍ଷତ ସହ ନିମନ୍ତ୍ରଣ ପତ୍ର ସମଗ୍ର ତାଳଚେର ନଗରର ସମସ୍ତ ପରିବାରଙ୍କ ନିକଟରେ ଆସନ୍ତା ଜାନୁଆରୀ ମାସର ପ୍ରଥମ ସପ୍ତାହରେ ପହଞ୍ଚାଯିବ ବୋଲି କାର୍ଯ୍ୟକ୍ରମର ସହ ସଂଯୋଜକ ପର୍ଶୁରାମ ବାରିକ କହିଛନ୍ତି।