ଜରୁରୀକାଳୀନ ସେବା କର୍ମଚାରୀଙ୍କ ନିମନ୍ତେ ପୋଷ୍ଟାଲ ବାଲଟ ବ୍ୟବସ୍ଥା ନେଇ ପ୍ରସ୍ତୁତି ବୈଠକ

You are currently viewing ଜରୁରୀକାଳୀନ ସେବା କର୍ମଚାରୀଙ୍କ ନିମନ୍ତେ ପୋଷ୍ଟାଲ ବାଲଟ ବ୍ୟବସ୍ଥା ନେଇ ପ୍ରସ୍ତୁତି ବୈଠକ

ଅନୁଗୁଳ: ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅବ୍ଦାଲ୍ ଏମ୍ ଅଖରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜରୁରୀକାଳୀନ ସେବା କର୍ମଚାରୀଙ୍କ ନିମନ୍ତେ ପୋଷ୍ଟାଲ ବାଲଟ ବ୍ୟବସ୍ଥା ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନିର୍ବାଚନରେ, ମୁଖ୍ୟତଃ ଭୋଟ ଦାନ ଦିବସରେ ନିୟୋଜିତ ହୋଇଥିବା ଜରୁରୀକାଳୀନ ସେବା କର୍ମଚାରୀ ଯଥା: ପୋଲିସ, ଅଗ୍ନିଶମ ସେବା, ସ୍ବାସ୍ଥ୍ୟ ସେବା, ବିଦ୍ୟୁତ ସେବା, ଓଡିଶା ରାଜ୍ୟ ପରିବହନ ନିଗମ ଓ ଗଣ ମାଧ୍ୟମର ପ୍ରତିନିଧି ଆଦିଙ୍କ ନିମନ୍ତେ ପୋଷ୍ଟାଲ ବାଲଟ୍ ବ୍ୟବସ୍ଥା କରାଯିବା ପାଇଁ ଆଲୋଚନା ହୋଇଥିଲା। ଇଚ୍ଛୁକ ଜରୁରୀକାଳୀନ ସେବା କର୍ମଚାରୀ ନିଜ ନିର୍ବାଚନ ମଣ୍ଡଳୀରେ ପୂର୍ବ ନିର୍ଦ୍ଧାରିତ ତାରିଖ, ସ୍ଥାନ ଓ ସମୟରେ ବାଲଟ ଯୋଗେ ଭୋଟ ଦେଇପାରିବେ। ଏହି ସୁଯୋଗର ଉପଯୋଗ କରିବା ନିମନ୍ତେ ଫର୍ମ ୧୨( ଘ ) ଦ୍ବାରା ନିଜ ବିଭାଗର ନୋଡାଲ ଅଧିକାରୀଙ୍କ ଜରିଆରେ ଆବେଦନ କରିପାରିବେ । ପୋଷ୍ଟାଲ ବାଲଟ ପାଇଁ ଆବେଦନ କରିଥିବା କର୍ମଚାରୀ ଇଭିଏମ୍ ଜରିଆରେ ଭୋଟ ଦେଇପାରିବେ ନାହିଁ ବୋଲି ବୈଠକରେ ସୂଚନା ଦିଆଯାଇଛି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ. ବିଶ୍ବବିହାରୀ ମହାନ୍ତି, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଡେପୁଟି କଲେକ୍ଟର(ନିର୍ବାଚନ) ମମତା ପ୍ରଧାନ, ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ କୁମାର ସାହୁ, ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି, ଡିଏସ୍‌ପି (ଡିଆଇବି) ପ୍ରଭାତ କୁମାର ସେଠୀ, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକ, ଟିପିସିଓଡିଏଲ୍‌ ର ସହକାରୀ ପରିଚାଳକ ଉମେଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply