ଅନୁଗୋଳ: ପ୍ରଦେଶ କଂଗ୍ରେସ କମିଟି ଓ ଇଣ୍ଡି ମେଣ୍ଟର ଆହ୍ୱାନରେ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି। ବନ୍ଦ ଯୋଗୁଁ ଅଞ୍ଚଳରେ ଦୋକାନବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା।
ବ୍ଲକ କଂଗ୍ରେସ ସଭାପତି ଅଜୟ କୁମାର ବେହେରାଙ୍କ ନେତୃତ୍ୱରେ କର୍ମୀମାନେ ସ୍ଥାନୀୟ ଦେବଗଡ଼ ଛକଠାରେ ରାସ୍ତାରୋକ କରିଥିଲେ। ଭୋଟ ଜାଲିଆତି ଓ ଭୋଟର ତାଲିକା ପ୍ରସ୍ତୁତିରେ ଅନିୟମିତତା ଅଭିଯୋଗ କରି କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରାଯାଇଥିଲା। ଏଥିସହ ଏମ୍ଏମ୍ଡିଆର୍ ବିଲ୍ ପ୍ରତ୍ୟାହାର ଏବଂ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ମଧ୍ୟ କଂଗ୍ରେସ କର୍ମୀମାନେ ସରକାରଙ୍କୁ ଘେରିଥିଲେ।
ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରିବା ସହ ବନ୍ଦକୁ ସମର୍ଥନ କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ। ସ୍ଥାନୀୟ ଲୋକେ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ବନ୍ଦ ପ୍ରଭାବରେ ଯାତାୟାତ ବାଧାପ୍ରାପ୍ତ ହେବାରୁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଏହି ଆନ୍ଦୋଳନରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ବରିଷ୍ଠ ନେତ୍ରୀ ସସ୍ମିତା ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଯୋଗଦେଇଥିଲେ। ସେହିପରି କୋଶଳା ଗ୍ରାମରେ ବରିଷ୍ଠ ନେତା ଗୋବିନ୍ଦ ନାଏକଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଇଥିଲା।












