ଅନୁଗୋଳ: ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଔଷଧ ଦୋକାନ, ଘରୋଇ ନର୍ସିଂହୋମ ଓ ହସ୍ପିଟାଲ ଉପରେ ଡ୍ରଗ୍ସ ବିଭାଗ ଓ ପୁଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଯାଞ୍ଚ କରାଯାଇଛି। ରୋଗୀମାନଙ୍କୁ ଗୁଣାତ୍ମକ ଔଷଧ ଏବଂ ନିର୍ଦ୍ଧାରିତ ମୂଲ୍ୟରେ ଔଷଧ ମିଳୁଛି କି ନାହିଁ, ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା।
ଯାଞ୍ଚ ସମୟରେ ଔଷଧ ଦୋକାନଗୁଡ଼ିକର ବୈଧ ଲାଇସେନ୍ସ, ଆବଶ୍ୟକ କାଗଜପତ୍ର, ଫାର୍ମାସିଷ୍ଟଙ୍କ ଉପସ୍ଥିତି ଏବଂ ଔଷଧ କ୍ରୟ-ବିକ୍ରୟ ସମ୍ପର୍କିତ ରେକର୍ଡ ଯାଞ୍ଚ କରାଯାଇଥିଲା। ଏଥିସହ ଔଷଧର ଗୁଣବତ୍ତା ଓ ମୂଲ୍ୟ ମଧ୍ୟ ଯାଞ୍ଚ କରାଯାଇଥିଲା।
ଛେଣ୍ଡିପଦା, କୋଶଳା, ବାଗେଡ଼ିଆ, ଜରପଡ଼ା, ଅନୁଗୋଳ ସଦର, ବନ୍ତଳା, ତାଳଚେର, ନାଲକୋ ନଗର ଓ ବଅଁରପାଳ ଆଦି ଅଞ୍ଚଳରେ ଏହି ଯାଞ୍ଚ ହୋଇଥିଲା। ଡ୍ରଗ୍ସ ଇନ୍ସପେକ୍ଟର ମନସ୍ୱିନୀ ବିଶ୍ୱାଳ ଓ ସୌରଭ ଗୌତମଙ୍କ ସମେତ ସ୍ଥାନୀୟ ପୁଲିସ କର୍ମଚାରୀମାନେ ଚଢ଼ାଉରେ ସାମିଲ ହୋଇଥିଲେ।












