ଅନୁଗୋଳ: ଅନୁଗୋଳ ଜିଲ୍ଲା ପରଙ୍ଗସ୍ଥିତ ଶ୍ରୀମେଟାଲିକ୍ କାରଖାନାରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶ୍ରମିକ ହେଲେ ପରଙ୍ଗ ଗ୍ରାମର ମଙ୍ଗୁଳୁ ଭୋଇ।
ସୂଚନା ଅନୁସାରେ, ମଙ୍ଗୁଳୁ କାରଖାନାରେ କାମ କରୁଥିବା ସମୟରେ ନିକଟରେ ଏକ ଟ୍ରକ୍ ପଛକୁ ଚଳାଯାଉଥିଲା। ଏହି ସମୟରେ ଟ୍ରକ୍ଟି ଏକ କାନ୍ଥରେ ଧକ୍କା ଦେବାରୁ କାନ୍ଥଟି ଭୁଶୁଡ଼ି ମଙ୍ଗୁଳୁଙ୍କ ଉପରେ ପଡ଼ିଥିଲା। ଏଥିରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଡାକ୍ତରଖାନା ନେବା ବାଟରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଘଟଣା ପରେ କାରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ପରିବାରଲୋକଙ୍କୁ କମ୍ପାନୀ ପକ୍ଷରୁ ଠିକ୍ ସମୟରେ ଘଟଣା ସମ୍ପର୍କରେ ଜଣାଇ ନଥିବା ଅଭିଯୋଗ ହୋଇଛି। ସାହିବାସୀଙ୍କଠାରୁ ଖବର ପାଇ ପରିବାରଲୋକ ଡାକ୍ତରଖାନାରେ ପହଞ୍ଚିଥିବା କୁହାଯାଇଛି।
ପରେ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାରକୁ ନଗଦ ୨ ଲକ୍ଷ ଟଙ୍କା ଏବଂ ପରିବାରର ଜଣଙ୍କୁ ଚାକିରି ଦେବା ପାଇଁ ସର୍ତ୍ତ ରଖାଯାଇଥିବା ଜଣାପଡ଼ିଛି। ଏହାପରେ ଘଟଣାର ସମାଧାନ ହେବାରୁ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା।
ତେବେ କାରଖାନାରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଶ୍ରମିକମାନଙ୍କୁ ଆବଶ୍ୟକ ସୁରକ୍ଷା ସାମଗ୍ରୀ, ଯଥା ହେଲମେଟ୍ ଓ ଗମ୍ବୁଟ୍ ଯୋଗାଇ ଦିଆଯାଉନଥିବା ଅଭିଯୋଗ ରହିଛି। କାରଖାନାରେ ପୂର୍ବରୁ ମଧ୍ୟ ଦୁର୍ଘଟଣା ଘଟିଥିବା ସତ୍ତ୍ୱେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଓ ଆବଶ୍ୟକ ପଦକ୍ଷେପ ନେବାରେ ପ୍ରଶାସନର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।












