ତାଳଚେର : ତାଳଚେରର ୩ଟି ଐତିହ୍ୟ ସମ୍ପନ୍ନ ମୁଖଶାଳା ଏବେ ନୂଆ ରୂପ ପାଇବ। ଦୁଇ ମାସ ପୂର୍ବରୁ ତାଳଚେର ଫାଷ୍ଟଗେଟ୍ର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଥିବା ବେଳେ ଅନ୍ୟ ଦୁଇ ମୁଖଶାଳା ତଥା ହାତୀଶାଳ ଏବଂ ଘୋଡ଼ାଶାଳ ମୁଖଶାଳା ସୌନ୍ଦର୍ଯ୍ୟକରଣ ହୋଇ ପାରୁନଥିଲା। ଗତ ପୌର ବୈଠକରେ ତାଳଚେର ନଗରପାଳ ପବିତ୍ର ଭୂତିଆ ଏହି ଦୁଇ ମୁଖଶାଳାର କାର୍ଯ୍ୟ ତୁରନ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଦୁଇ ଫାଟକର ମୁଖଶାଳା କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନେଇ ପୌରପରିଷଦ ପକ୍ଷରୁ ୪୩ ଲକ୍ଷ ଟଙ୍କାର ମଞ୍ଜୁର କରାଯାଇଥିବା ଜଣାପଡ଼ିଛି। ଉକ୍ତ ୪୩ ଲକ୍ଷ ଟଙ୍କା ମଧ୍ୟରୁ ଘୋଡ଼ାଶାଳ ମୁଖଶାଳା ପାଇଁ ୨୫ ଲକ୍ଷ ରହିଥିବା ବେଳେ ହାତୀଶାଳ ମୁଖଶାଳା ପାଇଁ ୧୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ପୌରଯନ୍ତ୍ରୀ ଗୋଲଖ ସାହୁ ପ୍ରକାଶ କରିଛନ୍ତି। ଏଥି ସହିତ ଏହି ଦୁଇ ମୁଖଶାଳାର ଉଭୟ ପାର୍ଶ୍ବରେ ଜବରଦଖଲ ହୋଇଥିବାରୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଗକୁ ବଢ଼ି ପାରୁନାହିଁ। ଏହି ଜବର ଦଖଲକୁ ଖୁବ ଶୀଘ୍ର ଉଚ୍ଛେଦ କରାଯାଇ ମୁଖଶାଳାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତୁରନ୍ତ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ବଳୟ ଦେହୁରୀ ସୂଚନା ଦେଇଛନ୍ତି।
କେବଳ ସେତିକି ନୁହେଁ, ଆଗକୁ ତାଳଚେର ରାଜବାଟି ପାଖରେ ହେବାକୁ ଥିବା ଆନିକଟକୁ ଦୃଷ୍ଟିରେ ରଖି ଘୋଡାଶାଳ ଗେଟ ରାସ୍ତା ପ୍ରଶସ୍ତି କରଣ କରାଯିବ। ସେଥିପାଇଁ ଆଜି ନଗରପାଳ ଶ୍ରୀ ଭୂତିଆ ପୌର ନିର୍ବାହୀ ଅଧିକାରୀ ବଲୟ ଦେହୁରୀ ଓ ପୌରଯନ୍ତ୍ରୀ ରାଜାଙ୍କୁ ସାକ୍ଷାତ କରି ଏହି ସମ୍ପର୍କରେ ଆଲୋଚନା କରିବା ସହିତ ରାଜା ସାହେବ ଆଜି ଅନୁମତି ପ୍ରଦାନ କରିଛନ୍ତି। ତେବେ ଐତିହ୍ୟ ମୁଖଶାଳା କିପରି ଅଧିକରୁ ଅଧିକ ସୁନ୍ଦର ହୋଇପାରିବ ତା’ ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ନଗରପାଳ ପବିତ୍ର ଭୂତିଆ କହିଛନ୍ତି।