ଅନୁଗୁଳ: ଦେଢ଼ ବର୍ଷ ତଳେ ଅନୁଗୁଳ ସହର ଉପକଣ୍ଠ କୁମଣ୍ଡ ବେଲସୁଣ୍ଠା ଗ୍ରାମରେ ଜଣେ ଶିଶୁପୁତ୍ରକୁ ହତ୍ୟା ଉଦ୍ୟମ ମାମଲାର ରାୟ ଗୁରୁବାର ସିଜେଏମ୍ କୋର୍ଟରେ ପ୍ରକାଶ ପାଇଛି। ସିଜେଏମ୍ ଚୌଧୁରୀ ବାସୁଦେବ ପାତ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ କୁନା ବେହେରା(୨୮)କୁ ୧ ବର୍ଷ ୮ ମାସ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ପ୍ରାପ୍ତ ସୂଚନା ମୁତାବକ, ୨୦୨୦ ମସିହା ଫେବ୍ରୁଆରୀ ୨୪ ତାରିଖ ଅପରାହ୍ନରେ ଏହି ଅଘଟଣ ଘଟିଥିଲା । ଅଭିଯୁକ୍ତ କୁନା ବେହେରାର ପ୍ରକୃତ ଘର ଠାକୁରଗଡ଼ ଇଲାକାରେ ହୋଇଥିବା ବେଳେ ସେ ବେଲସୁଣ୍ଠାରେ ତା’ର ଭିଣୋଇ ଘରେ ରହୁଥିଲା। ଘଟଣା ଦିନ ବେଲସୁଣ୍ଠା ଗ୍ରାମର ପବନା ଭୋଇଙ୍କ ସାନ ଭାଇର ନିର୍ବନ୍ଧ ବଇଣ୍ଡା ଅଞ୍ଚଳରେ ଥିଲା। ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅଭିଯୁକ୍ତ କୁନାକୁ ନିମନ୍ତ୍ରଣ କରିଥିଲେ ପବନାଙ୍କ ପରିବାର ଲୋକ। ତେବେ ସମସ୍ତେ ଗାଡ଼ିରେ ବସି ବାହାରିଲା ବେଳକୁ କୁନାଙ୍କ ପାଇଁ ଆଉ ଗାଡ଼ିରେ ଜାଗା ହୋଇନଥିଲା । ତେଣୁ ତାଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇ ସମସ୍ତେ ନିର୍ବନ୍ଧରେ ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ ଘରେ ପବନାଙ୍କ ୫ ବର୍ଷର ପୁତୁରା ଥିଲା। ଗାଡ଼ିରୁ ଓହ୍ଲାଇ ଦେବାର ଅପମାନର ପ୍ରତିଶୋଧ ନେବାକୁ ଯାଇ ପବନାଙ୍କ ପୁତୁରାକୁ ଆକ୍ରମଣ କରିଥିଲା କୁନା। ସାଙ୍ଗ ମେଳରେ ଖେଳୁଥିବା ୫ ବର୍ଷର ଶିଶୁପୁତ୍ରର ତଣ୍ଟି ଚିପି ଦେଇଥିଲା। ଫଳରେ ଶିଶୁପୁତ୍ର ଗୁରୁତର ହୋଇଥିଲା। ନିର୍ବନ୍ଧରୁ ଫେରି ପରିବାର ଲୋକ ଶିଶୁପୁତ୍ରକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏପଟେ ପବନା ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ କେସ ନଂ ୨୩୦/୨୦ରେ ମାମଲା ରୁଜୁ କରିଥିଲା। ମାମଲାର ତଦନ୍ତକାରୀ ଅଧିକାରୀ ସବ୍ଇନ୍ସପେକ୍ଟର ବିପ୍ଳବ ସାହୁ ଅଭିଯୁକ୍ତ କୁନା ବେହେରାକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ଏହି ମାମଲାର ଶୁଣାଣି ସିଜେଏମ୍ କୋର୍ଟରେ ଚାଲିଥିଲା। ମୋଟ୍ ୮ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ସିଜେଏମ୍ ଚୌଧୁରୀ ବାସୁଦେବ ପାତ୍ର ଅଭିଯୁକ୍ତ କୁନା ବେହେରାକୁ ଦୋଷୀ ସାବ୍ୟସ୍ତ କରି ଉକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଧ୍ରୁବ ଚରଣ ସାହୁ ଏହି ମାମଲା ପରିଚାଳନା କରିଥିଲେ।
୫ ବର୍ଷର ଶିଶୁର ତଣ୍ଟି ଚିପି ହତ୍ୟା ଉଦ୍ୟମ, ଅଭିଯୁକ୍ତକୁ ବର୍ଷେ ୮ ମାସ ଜେଲ୍ ଦଣ୍ଡ
- Post published:October 29, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
