ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦସ୍ଥିତ ରାଜ୍ୟ ବୀମା ନିଗମର ଅତ୍ୟାଧୁନିକ ହସ୍ପିଟାଲରେ ଯାବତୀୟ ସମସ୍ୟା ଦେଖିବାକୁ ମିଳିଛି। ଆଜକୁ ପାଞ୍ଚ ଦିନ ହେବ ଇ.ଏସ.ଆଇ.ସି ହସ୍ପିଟାଲରେ କାର୍ଯ୍ୟରତ ଠିକା ସଫେଇ କର୍ମଚାରୀ ଆନ୍ଦୋଳନରେ ବସିଛନ୍ତି। ଦରମା ମାଗିବାରୁ ଠିକା ସଂସ୍ଥାର ସୁପରଭାଇଜର ୧୦ ଦିନ ହେଲାଣି ୮ ଜଣ ସଫେଇ କର୍ମଚାରୀଙ୍କୁ କାମରୁ ଛଟେଇ କରି ଦେଇଛନ୍ତି। ଏ ସବୁର ପ୍ରତିବାଦରେ ଆଜି ସଫେଇ କର୍ମଚାରୀ ସମୂହ କାର୍ଯ୍ୟବନ୍ଦ କରି ହସ୍ପିଟାଲ ପ୍ରବେଶ ପଥରେ ଧାରଣାରେ ବସିଥିବାରୁ ପରିସ୍ଥିତି ନୟାନ୍ତ ହେବାକୁ ବସିଲାଣି।
ପୂରା ହସ୍ପିଟାଲଟି ଏବେ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଯୁଆଡ଼େ ଦେଖିବ କୁଢ଼ କୁଢ଼ ଅଳିଆ ଆବର୍ଜନା, ରୋଗୀ ଚିକିତ୍ସା ପାଇଁ ଆସୁଥିଲେ ମଧ୍ୟ ଏଭଳି ପରିବେଶ ଦେଖି ପଳାଇ ଯାଉଛନ୍ତି। ସେହିଭଳି ଚିକିତ୍ସାଧୀନ ରୋଗୀଙ୍କୁ ମଧ୍ୟ ହସ୍ପିଟାଲ ପକ୍ଷରୁ ଘରକୁ ପଠାଇ ଦିଆଯାଉଥିବା ଦେଖିବାକୁ ମିଳୁଛି। ତେବେ ଏ ନେଇ ହସପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେମାନେ ହାତ ଟେକି ଦେବା ସହ ଏହା ଏକ ଠିକା ସଂସ୍ଥା ଦ୍ଵାରା ପରିଚାଳିତ ହେଉଥିବାରୁ ଆମେ କିଛି କରି ପାରିବୁ ନାହିଁ ବୋଲି କହିଥିଲେ।
ସୂଚନାଯୋଗ୍ୟ, ଶହେ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ତିନି ବର୍ଷ ହେଲାଣି ଆରମ୍ଭ ହୋଇଛି। କିନ୍ତୁ ହସ୍ପିଟାଲ ପରିଚାଳନାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମନମାନୀ ଯୋଗୁଁ ଏଠାରେ ସବୁ ଦିନ କିଛି ନା କିଛି ଅସୁବିଧା ହେଉଛି। ଏ.ଡି.ଏସ୍ ଗ୍ରୁପ ନାମକ ଦିଲ୍ଲୀର ଏକ ଠିକା ସଂସ୍ଥା ଏହି ଇ.ଏସ.ଆଇ.ସି ହସ୍ପିଟାଲର ପରିମଳ ତଥା ସଫେଇ କାର୍ଯ୍ୟ ତୁଲାଉଛନ୍ତି। ସ୍ଥାନୀୟ ଅଞ୍ଚଳର ୮ ଜଣ ମହିଳାଙ୍କ ସମେତ ୨୬ ଜଣ ଲୋକ ୩ ବର୍ଷ ହେଲାଣି ନିୟମିତ ସଫେଇ କାର୍ଯ୍ୟ କରି ଆସୁଛନ୍ତି। ମାତ୍ର ସେମାନେ ନିୟମିତ ଦରମା ପାଉନଥିବା ଅଭିଯୋଗ କରିଛନ୍ତି। କମ୍ପାନୀ ନିୟମ ଅନୁସାରେ, ସମସ୍ତ କର୍ମଚାରୀଙ୍କ ଇ.ଏ.ସଆ.ଇ ଅନ୍ତର୍ଭୁକ୍ତ ବାଧ୍ୟତାମୂଳକ ହୋଇଥିବା ବେଳେ ସମ୍ପୃକ୍ତ ଠିକା ସଂସ୍ଥା କିନ୍ତୁ ଏଥିରୁ କର୍ମଚାରୀଙ୍କୁ ବଞ୍ଚିତ କରିଛନ୍ତି। ସମସ୍ତ ଠିକା କର୍ମଚାରୀଙ୍କର ମଧ୍ୟ ପିଏଫ ଆକାଉଣ୍ଟ ନାହିଁ। ଏହି ସଫେଇ କର୍ମଚାରୀଙ୍କ ଡ୍ରେସ କୋଡ୍, ସୁରକ୍ଷା ନିମିତ୍ତ ମାସ୍କ, ହ୍ୟାଣ୍ଡ ଗ୍ଲୋଭ, ଜୋତା, ଆଇକାର୍ଡ ଆଦି ସୁବିଧାରୁ ବଞ୍ଚିତ କରିଛି ଏହି ଠିକ ସଂସ୍ଥା। କିଛି ସୁବିଧା ନ ଦେଇ ଏବେ ଛଟେଇ କରିବାକୁ ନେଇ କର୍ମଚାରୀ ତାତିଛନ୍ତି। ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେମାନେ ଅଡ଼ି ବସିଛନ୍ତି।