ଛେଣ୍ଡିପଦା: ବେଆଇନ ଭାବେ ଗଛ କାଟୁଥିବାରୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଗୋପୀବଲ୍ଲଭପୁରବାସୀ ଆଜି ମୈତ୍ରୀ କମ୍ପାନୀର ଇଡି, ଫିଲ୍ଡ ଅଫିସର ଓ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ଏଥିସହ ସେମାନେ ଆଣିଥିବା ଗଛ କଟା ମେସିନକୁ ଜବତ କରିଥିଲେ।
ସୂଚନା ମୁତାବକ, ଗୋପୀବଲ୍ଲଭପୁରର ନାଣ୍ଡିଛୋଡ ଗାଁରେ ନାଲକୋର କୋଇଲା ଉତ୍ତୋଳନ ପାଇଁ ମୈତ୍ରୀ ନାମକ ଏକ କମ୍ପାନୀ ଠିକା ନେଇଛି। ବୁଧବାର ଦିନ କମ୍ପାନୀର ଇଡି ସତ୍ୟନାରାୟଣ, ଫିଲ୍ଡ ଅଫିସର କୈଳାସ ଚନ୍ଦ୍ର ସାହୁ କମ୍ପାନୀର କିଛି କର୍ମଚାରୀଙ୍କୁ ନେଇ ଗାଁ ମୁଣ୍ଡରେ ଥିବା ଏକ ବଡ଼ ଶାଳ ଗଛକୁ ମେସିନ୍ ସାହାଯ୍ୟରେ କାଟୁଥିବା ବେଳେ ଗାଁ ଲୋକେ ତାଙ୍କୁ ରୋକିବା ସହ ଗ୍ରାମ ଦେବତୀଙ୍କ ପାଖରେ ଅଟକ ରଖିଥିଲେ। ପ୍ରତିଶ୍ରୁତି ଦେଇ ପାଳନ ନ କରି ଗଛ କାଟିବାକୁ ବିରୋଧ କରି ୩ ଘଣ୍ଟା ଧରି କର୍ମଚାରୀଙ୍କୁ ଅଟକ ରଖିଥିଲେ। ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା ପର୍ଯ୍ୟନ୍ତ କମ୍ପାନୀ କର୍ମଚାରୀ ଗାଁ ଭିତରେ ପଶି ପାରିବେ ନାହିଁ କି ସର୍ଭେ କରିବେ ନାହିଁ କି ଗାଁରୁ କୌଣସି ଗଛ କରାଯିବ ନାହିଁ ବୋଲି ଇଡି ସତ୍ୟ ନାରାୟଣ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ କମ୍ପାନୀର କର୍ମଚାରୀଙ୍କୁ ଛାଡ଼ି ଥିଲେ।