ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶୁକ୍ରବାର କରୋନା ପ୍ରିକସନ ଟୀକାକରଣର ଶୁଭାରମ୍ଭ ହୋଇଛି। କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବୟସ୍କମାନଙ୍କ ପାଇଁ ଉଦ୍ଧିଷ୍ଟ ପ୍ରିକସନ ଡୋଜ୍କୁ ମାଗଣାରେ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ଆଜାଦି କା ଅମୃତ ମହୋତ୍ସବ ଅବସରରେ ୧୮ ରୁ ୫୯ ବର୍ଷ ବୟସ୍କମାନଙ୍କୁ ମାଗଣାରେ ଏହି ପ୍ରିକସନ ଡୋଜ୍ ପ୍ରଦାନ କରାଯାଉଛି। ଅନୁଗୁଳ ଜିଲ୍ଲାପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆନୁଷ୍ଠାନିକ ଭାବେ ଅନୁଗୁଳ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପ୍ରଦୀପ ପ୍ରଜ୍ଜଳନ କରି ଏହାକୁ ଶୁଭାରମ୍ଭ କରିଥିଲେ। ସରକାରଙ୍କ ଦ୍ବାରା ପ୍ରଦତ୍ତ କୋଭିଡ ନିୟମକୁ ମାନି ସମସ୍ତେ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହିତ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ପରିଚାଳିତ ହେବ ଏବଂ ୧୮ ରୁ ୫୯ ବର୍ଷ ବୟସ୍କ ସମସ୍ତ ବ୍ୟକ୍ତି ଯେପରି ଟୀକାକରଣରୁ ବାଦ୍ ନ ପଡନ୍ତି ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ସ୍ବାସ୍ଥ୍ୟ ବିଭାଗର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାରଠାରୁ ୭୫ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ତ୍ରିଲୋଚନ ପ୍ରଧାନ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା ଦିଲ୍ଲିପ କୁମାର ପଟ୍ଟନାୟକଙ୍କ ସମେତ ସ୍ବାସ୍ଥ୍ୟ କର୍ମୀ, ଆଶା ଓ ପାରାମେଡିକାଲ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଶୁଭାରମ୍ଭ ହେଲା କରୋନା ପ୍ରିକସନ ଟୀକାକରଣ
- Post published:July 15, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray
