ଅନୁଗୁଳ: ବୁଧବାର ଦିନ ପ୍ରାୟ ୧୧ଟା ବେଳେ ଶିମିଳିପଡ଼ାର ଏକ ଦମ୍ପତିଙ୍କୁ ଜନୈକ ଦୁବୃର୍ତ୍ତ ଲିଫ୍ଟ ଦେଇ ୨ ହଜାର ଟଙ୍କା ଲୁଟି ନେଇଥିଲା। ଶିମିଳିପଡ଼ାର ପାଣ୍ତବ ସେଠୀ ଏବ˚ ତାଙ୍କ ସ୍ତ୍ରୀ ଏକ ଶ୍ରାଦ୍ଧକ୍ରିୟାରେ ଯୋଗ ଦେବାପାଇଁ ଘରୁ ବସ୍ଷ୍ଟାଣ୍ତ ଆଡ଼କୁ ଯାଉଥିବା ବେଳେ ଶାନ୍ତି ହୋଟେଲ୍ ନିକଟରେ ଜନୈକ ମୁଖାପିନ୍ଧା ବାଇକ୍ ଆରୋହୀ ପାଣ୍ତବକୁ କୁଆଡେ଼ ଯାଉଛ ବୋଲି ପଚାରିଥିଲେ। ଆମେ ଛୋଟ ଗାଡ଼ିରେ କଞ୍ଜରା ଯିବୁ ବୋଲି କହିବାରୁ ଦୁବୃର୍ତ୍ତ ଜଣକ ମୁଁ ବି ଯିବି ବୋଲି କହିଥିଲା। ସରଳ ବିଶ୍ବାସୀ ପାଣ୍ତବ ଓ ତା ସ୍ତ୍ରୀ ବାଇକ୍ରେ ବସିବା ପରେ ଦୁବୃର୍ତ୍ତ ଜଣକ ପଞ୍ଚମହଲା ନିକଟରେ ସେ ଦୁହିଁଙ୍କୁ ଓହ୍ଲାଇ ଦେଇ ତେଲ ସରିଗଲା, ତୁମ ପାଖରେ କେତେ ଅଛି ବୋଲି ପଚାରିଲା। ଦମ୍ପତି ସରଳ ବିଶ୍ବାସରେ ୨ ହଜାର ଟଙ୍କା ବଢ଼ାଇ ଦେବାକ୍ଷଣି ଦୁବୃର୍ତ୍ତ ଆଖି ପିଛୁଳାକେ ସେଠୁ ଚମ୍ପଟ ମାରିଥିଲା। ଅଧଘଣ୍ଟା ଠିଆ ହେବା ପରେ ଦମ୍ପତି ଜଣକ ଠକ ହାବୁଡ଼ରେ ପଡ଼ିଗଲେ ବୋଲି ବୁଝି କାନମୁଣ୍ତ ଆଉଁସି ଘରକୁ ଫେରିଥିଲେ। କିଛି ଦିନ ତଳେ ଶାନ୍ତି ହୋଟେଲ୍ ନିକଟରୁ ୨ ଜଣ ଦୁବୃର୍ତ୍ତ ବାଇକ୍ରେ ଆସି କେଶବ ମିଶ୍ର ନାମକ ଜନୈକ ବ୍ୟକ୍ତିଙ୍କ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲା। ତେଣୁ ବସ୍ଷ୍ଟାଣ୍ତ ଅଞ୍ଚଳରେ ବିଭିନ୍ନ ଅସାମାଜିକ ଯୁବକଙ୍କ ଭିଡ଼ ଲାଗି ରହୁଥିବା ପ୍ରମାଣିତ ହେଉଛି।
ଲିଫ୍ଟ ଦେଇ ଦମ୍ପତିଙ୍କୁ ଲୁଟିଲେ
- Post published:January 1, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
Tags: Angul


