ଜୁନ ୧ରେ ହେବନି ତାଳଚେର ଅର୍ଥନୈତିକ ଅବରୋଧ, ପ୍ରଶାସନ ସହ ଆଲୋଚନା ପରେ କମିଟିର ନିଷ୍ପତ୍ତି

You are currently viewing ଜୁନ ୧ରେ ହେବନି ତାଳଚେର ଅର୍ଥନୈତିକ ଅବରୋଧ, ପ୍ରଶାସନ ସହ ଆଲୋଚନା ପରେ କମିଟିର ନିଷ୍ପତ୍ତି

ତାଳଚେର: ଆଜି ହେବାକୁ ଥିବା ଅର୍ଥନୈତିକ ଅବରୋଧକୁ ସ୍ଥଗିତ ରଖାଯାଇଛି। ଏନେଇ ମଙ୍ଗଳବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଳଚେର ମେଡିକାଲ୍ କଲେଜ୍ ପରିଚାଳନା ଓ ସରକାରୀ ବିଜ୍ଞପ୍ତି ପ୍ରକାଶ ସମ୍ବନ୍ଧରେ ଉପଜିଲ୍ଲାପାଳ ବିଶ୍ୱରଂଜନ ରଥ ଓ ଏସ୍.ଡି.ପି.ଓ. ଏସ୍.ସ୍ୱାତୀ କୁମାର ଉପସ୍ଥିତିରେ ଏନେଇ ବୈଠକ ବସିଥିଲା। ଏଥିରେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଆବାହକ ପଦ୍ମଚରଣ ସାମଲ, ଭଗବାନ ପ୍ରଧାନ, ଭୂପେନ୍ କୁମାର ଥମ୍ବ, ଶ୍ରୀକାନ୍ତ ପାଣି, ରଙ୍ଗାଧର ନାହାକ, ରଞ୍ଜିତ୍ କୁମାର ମହାପାତ୍ର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ଉପଜିଲ୍ଲାପାଳ ଏମ୍.ସି.ଏଲ୍. ଓ ରାଜ୍ୟ ସରକାର ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ନକଲ ଦେଖାଇ କହିଥିଲେ ଯେ କଲେଜର ପରିଚାଳନା ଗତ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡିଶାର ଅନ୍ୟ ଜିଲ୍ଲା ଭଳି ମେଡିକାଲ୍ କଲେଜ୍ ପରିଚାଳନା ସରକାରୀ ସ୍ତରରେ ହେଉଥିବାବେଳେ ତାଳଚେର ପାଇଁ ସଂପୂର୍ଣ୍ଣ ଭିନ୍ନ। ଏଠାରେ କେନ୍ଦ୍ରୀୟ ସଂସ୍ଥା ଏମ୍.ସି.ଏଲ୍. ଅର୍ଥ ପଇଠ କରିବ ଏବଂ ରାଜ୍ୟ ସରକାର ଦାୟିତ୍ୱ ନେଇ ଚଳାଇବେ। ଏଥିପାଇଁ କିଛି ମାସ ଆବଶ୍ୟକ। ଏଣୁ ଅର୍ଥନୈତିକ ଅବରୋଧ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ସେ ଅନୁରୋଧ କରିଥିଲେ। ସ୍ଥାନୀୟ ପ୍ରଶାସନକୁ ସମ୍ମାନ ଜଣାଇ ଆଜି ହେବେକୁ ଥିବା ଅର୍ଥନୈତିକ ଅବରୋଧକୁ କମିଟି ପକ୍ଷରୁ ସ୍ଥଗିତ କରିବା ସହିତ ଏକ ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କର ପକ୍ଷରୁ ମେଡିକାଲ୍ କଲେଜ୍ କୁ ଏକ ମାସ ମଧ୍ୟରେ ପରିଚାଳନା କରିବା ପାଇଁ ସରକାରୀ ବିଜ୍ଞପ୍ତି (ଗେଜେଟ୍ ନୋଟିଫିକେସନ୍) ପ୍ରକାଶ ନହେଲେ ଆସନ୍ତା ଜୁଲାଇ ୪ ରୁ ୭୨ ଘଣ୍ଟିଆ ପୁନଶ୍ଚ ଅର୍ଥନୈତିକ ଅବରୋଧ କରିବାକୁ ଚେତାବନୀ ଦିଆଯାଇଛି। ଏହାର ନକଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୁଳ ଜିଲ୍ଲାପାଳ, ଏସ୍.ପି, ଏସ୍.ଡି.ପି.ଓଙ୍କୁ ପ୍ରଦାନ କରାଯାଇଛି।

Share

Leave a Reply