ଅନୁଗୁଳ: ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ନାଲକୋ ଡେଲି ମାର୍କେଟ ସମ୍ମୁଖସ୍ଥ ୨ଟି ଦୋକାନରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ଛାରଖାର ହୋଇଯାଇଛି।
ସୂଚନାନୁଯାୟୀ, ରାତି ପ୍ରାୟ ସାଢ଼େ ୩ଟା ବେଳେ ନାଲକୋ ଡେଲି ମାର୍କେଟ ସମ୍ମୁଖରେ ଥିବା ଶିବା ହାର୍ଡ ୱେୟାର ଓ ସାଇରାମ ହାର୍ଡ ୱେୟାରରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ଦୋକାନରେ ଦହନ ସାମଗ୍ରୀ ଥିବାରୁ ଚାହୁଁ ଚାହୁଁ ଚାରିଆଡ଼େ ନିଆଁ ବ୍ୟାପି ଯାଇଥିଲା। ଖବର ପାଇ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ଧଳ ଓ ସୁକାନ୍ତ କୁମାର ନାଥଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଆସି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିନ୍ତୁ ସେତେବେଳେକୁ ଦୁଇଟା ଯାକ ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା।ଅଗ୍ନିକାଣ୍ଡରେ ପାଖାପାଖି ୨୨ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।