ଆଠମଲ୍ଲିକ: ଦୀପାବଳି ପର୍ବକୁ ସମସ୍ତେ ନିଜ ନିଜ ପରିବାର ସହ ପାଳୁଥିବା ବେଳେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ଏଥରକ ନିଆରା ଢଙ୍ଗରେ ଆଲୋକର ଉତ୍ସବ ପାଳନ କରିଛନ୍ତି। ଉପଜିଲ୍ଲାପାଳ ଏଥର ସ୍ଥାନୀୟ ବାଳାଶ୍ରମରେ ଅନ୍ତେବାସୀଙ୍କ ସହ ଦୀପାବଳି ପାଳନ କରିଛନ୍ତି।
ଦୀପାବଳି ଦିନ ସେ ବାଳାଶ୍ରମ ଅନ୍ତେବାସୀଙ୍କ ପାଖରେ ପହଞ୍ଚି ସେମାନଙ୍କ ରହିବା, ଖାଇବା, ପିନ୍ଧିବା, ପାଠ ପଢିବା ଓ ପରିଷ୍କାର ପରିଚ୍ଛନ୍ନତାକୁ ନେଇ ଆଲୋଚନା କରିଥିଲେ। ସେମାନଙ୍କ ସହ ତଳେ ବସି ଗୀତ ଗାଇବା ସହ ଚିତ୍ରାଙ୍କନ ଓ ବକ୍ତୃତା କାର୍ଯ୍ୟକ୍ରମ କରାଇଥିଲେ। ପରେ ଛାତ୍ରଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ଶେଷରେ ସେମାନଙ୍କ ସହ ସବୁଜ ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ। ଦୀପାବଳି ପାଇଁ ସରକାରୀ ଛୁଟି ଥିବା ସତ୍ତ୍ୱେ ଉପଜିଲ୍ଲାପାଳ ଶ୍ରୀ ସୁନା ନିଜ ପରିବାର ସହ ପାଳନ ନକରି ବାଳାଶ୍ରମ ଅନ୍ତେବାସୀଙ୍କ ସହ ପାଳିବାକୁ ସାଧାରଣରେ ପ୍ରଶଂସା କରାଯାଇଛି।
ଏ ଅବସରରେ ବରିଷ୍ଠ କିରାଣୀ ଅଭିରାମ ସାୟ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିକୁଞ୍ଜ ରଞ୍ଜନ, ସମାଧାନ ସ୍ବେଚ୍ଛାସେବୀ ସଂଗଠନର ସମ୍ପାଦକ ବିନୟ କୁମାର ପଟ୍ଟନାୟକ ଓ ନିଖିଲ କୁମାର ପ୍ରସାଦ ଉପସ୍ଥିତ ରହି ପିଲାଙ୍କ ସହ ସବୁଜ ବାଣ ଫୁଟାଇଛନ୍ତି।