ଅନୁଗୁଳ: ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ। ଭଗବାନ ଶିବଙ୍କ ପ୍ରିୟ ମାସ। ଏହି ମାସଟି ବର୍ଷର ସବୁଠାରୁ ଶୁଭ ମାସ ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଏ। ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସର ରହିଛି ବିଶେଷ ମହତ୍ବ। ଏହି ମାସରେ ମହାଦେବଙ୍କୁ ନିଷ୍ଠାର ସହ ଉପାସନା କଲେ ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ। ସେଥିପାଇଁ ଏହି ମାସଟି ଦେବ ଦେମହାଦେବଙ୍କୁ ସମର୍ପିତ। ଶିବ ଭକ୍ତମାନେ ଏହି ମାସକୁ ବେଶ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି। ଅବିବାହିତ ଝିଅ ମାନେ ଏହି ମାସର ମଙ୍ଗଳବାରରେ ମା ମଙ୍ଗଳାଙ୍କୁ ପୁଜାର୍ଚ୍ଚନା କରି ମନଲାଖି ବର କାମନା କରିଥାନ୍ତି ।
ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସର ପ୍ରତ୍ୟକ ସୋମବାର କାଉଡ଼ିଆ ଯାତ୍ରା ହୁଏ। କାଉଡି଼ଆ ଯାତ୍ରାର ଇତିହାସ ଭଗବାନ ପର୍ଶୁରାମଙ୍କ ସମୟ ସହିତ ଜଡିତ। ପର୍ଶୁରାମ ଭଗବାନ ଶିବଙ୍କ ଅଂଶ ଥିବା ସହ ତାଙ୍କର ସର୍ବଶେଷ୍ଠ ଭକ୍ତ ଥିଲେ। ଥରେ କାଉଡି଼ଆ ନେଇ ପର୍ଶୁରାମ ଉତ୍ତରପ୍ରଦେଶ ବାଗପତ ଜିଲ୍ଲା ନିକଟ ‘ପୁରା ମହାଦେବ’ ମନ୍ଦିରକୁ ଯାଇଥିଲେ। ସେଠାରେ ଥିବା ଗଢମୁକେଶ୍ୱରରୁ ଗଙ୍ଗା ଜଳ ନେଇ ଶିବଙ୍କୁ ଜଳାଭିଷେକ କରିଥିଲେ, ସେତେବେଳେ ଶ୍ରାବଣ ମାସ ଚାଲିଥିଲା। ସେବେଠାରୁ ଶ୍ରାବଣ ମାସରେ କାଉଡି଼ଆ ଯାତ୍ରା ନେଇ ପରମ୍ପରା ଆରମ୍ଭ ହୋଇଥିଲା। ଶ୍ରାବଣ ମାସ ସୋମବାରେ ଉପବାସ କରୁଥିବା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।ସେଥିପାଇଁ ପ୍ରତିବର୍ଷ କାହିଁ କେତେ ଦୂରରୁ କାଉଡ଼ିଆ ଭକ୍ତ ମାନେ ଆସି ମହାଦେବଙ୍କ ଉପରେ ଜଳଲାଗି କରିଥାଆନ୍ତି। ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଏହି ମାସରେ ଶିବ ଭକ୍ତମାନେ କାଉଡି଼ଆ ଯାତ୍ରାରେ ଯାଇଥାଆନ୍ତି।