ଛେଣ୍ଡିପଦା / ଅନୁଗୁଳ: ସ୍ଥାନୀୟ ଜରପଡ଼ା ଥାନା କୋରଡ଼ାରେ ବିଦ୍ୟୁତ ଆଘାତରେ ଶୁକ୍ରବାର ଜଣେ ମହିଳା ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ କୋରଡ଼ାର ପ୍ରମୋଦ ସାହୁଙ୍କ ସ୍ତ୍ରୀ କମଳା ସାହୁ (୩୮)।
ସୂଚନା ମୁତାବକ, କୋରଡ଼ାର ପ୍ରମୋଦ ସାହୁଙ୍କ ସ୍ତ୍ରୀ କମଳା ସାହୁ ସକାଳେ ଘର ପଛପଟ ବାଡିରେ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ପହଞ୍ଚି ତୁରନ୍ତ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କମଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ଲୋକ ଜରପଡା ପୋଲିସକୁ ଲିଖିତ ଭାବେ ଜଣାଇଥିଲେ । ଅଭିଯୋଗ ପାଇ ଜରପଡ଼ା ପୋଲିସ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।