ଅନୁଗୁଳ: ତାଳଚେର ବ୍ଲକ୍ ଅନ୍ତର୍ଗତ ମଦନମୋହନପୁର ଓ ଲାଙ୍ଗିଯୋଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟରୂପ ଧାରଣ କରିଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଗତ କାଲି ପ୍ରଦାନ କରାଯାଇଛି । ଏମସିଏଲର ଲିଙ୍ଗରାଜ ଓ ଭୁବନେଶ୍ୱରୀ କୋଇଲା ଖଣି ନିକଟରେ ଏହି ଦୁଇଟି ଗ୍ରାମ ଥିଲା ବେଳେ କୂଅ ପୋଖରୀରେ କୋଇଲା ଗୁଣ୍ଡର ଏକ ଆସ୍ତରଣ ଜମି ରହିଛି । ଜନବସତି ନିକଟରେ କୋଇଲା ପରିବହନ ରାସ୍ତାରେ ଦୈନିକ ହଜାର ହଜାର ଟ୍ରକ୍ ଚଳପ୍ରଚଳ କରୁଥିବାରୁ ଗ୍ରାମବାସୀ ଅଣନିନିଃଶ୍ୱାସୀ ହୋଇ ପଡୁଛନ୍ତି । ଖଣି ମଧ୍ୟରେ ଡିନାମାଇଟ୍ ବିସ୍ଫୋରଣ ହେବା ଦ୍ୱାରା ଘର, ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଫାଟ ସୃଷ୍ଟି ହୋଇ ବିପଦସଂକୁଳ ଅବସ୍ଥାରେ ରହିଛି । ଭୂତଳ ଜଳସ୍ତର ହ୍ରାସ ପାଇଥିବାରୁ ଗ୍ରାମବାସୀଙ୍କ ପାଇଁ ପାଣି ସମସ୍ୟା ସୃଷ୍ଟି କରିଛି । ପାନୀୟ ଜଳ ପାଇଁ ଖଣି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସପ୍ତାହକୁ ଥରେ ମାତ୍ର ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିବାରୁ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ଏହାର ସମାଧାନ ଆସନ୍ତା ୭ ଦିନ ମଧ୍ୟରେ କରାନଗଲେ କୋଇଲା ଖଣି ପରିବହନ ରାସ୍ତା ବନ୍ଦ କରାଯିବାକୁ ମଦନମୋହନପୁର ଗ୍ରାମ୍ୟ କମିଟି ସଭାପତି ଚୈତନ୍ୟ ପ୍ରଧାନ, ଅନ୍ତର୍ଯ୍ୟାମୀ ସାହୁ, ସୌଦାଗର ପ୍ରଧାନ, ତାପସ ସାହୁ, ବ୍ଲକ ଉପାଧ୍ୟକ୍ଷା ସୁବର୍ଣ ସାହୁ, ସ୍ମୃତି ରଂଜନ ପ୍ରଧାନ, ଅବିନାଶ ନାୟକ, ସିପୁନ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି ।
ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା
- Post published:April 2, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
