ଅନୁଗୁଳ: ରାତି ଅଧରେ ଘରେ ପଶି କଳା କନା ବୁଲାଇଲା ଚୋର। ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ନାଲ୍କୋ ଅଞ୍ଚଳର ଏକ ଘରେ ପଶି ଜଣେ ଯୁବକ ସୁନା ଗହଣା ସମେତ ନଗଦ ୯ ହଜାର ଟଙ୍କା ଚୋରି କରିଥିବା ନେଇ ଅଭିଯୋଗ ହୋଇଛି। ଚୋରଟି ଘରେ ପଶି ଚୋରି କରିବା ପରେ ବାହାର ପଟୁ କବାଟ ଦେଇ ଦେଇଥିବାରୁ ତାକୁ ଧରିବାରେ ଘର ଲୋକ ଅସମର୍ଥ ହୋଇଥିବା କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ନାଲ୍କୋ ଅଞ୍ଚଳର ପ୍ରଭାତ କୁମାର ଧରଙ୍କ ଘରେ ରାତି ପ୍ରାୟ ୩ଟା ବେଳେ ଜଣେ ଅଜଣା ବ୍ୟକ୍ତି ଝରକା ଡେଇଁ ପଶିଥିଲା। ଘରର ସମସ୍ତ ରୁମ୍ର କବାଟ ବାହାର ପଟୁ ବନ୍ଦ କରିବା ପରେ ପ୍ରଭାତଙ୍କ ମା’ ଶୋଇଥିବା ଘରେ ପଶିଥିଲା। ସେ ଆଲମାରୀରେ ଥିବା ୩ ହଳ କାନ ସୁନା ଫୁଲ ଓ ନଗଦ ୯ ହଜାର ଟଙ୍କା ଚୋରି କରିବା ପରେ ବୃଦ୍ଧାଙ୍କୁ ନିଦରୁ ଉଠାଇଥିଲା। ରାତିରେ ଘରେ ଅପରିଚିତ ଲୋକକୁ ଦେଖି ବୃଦ୍ଧା ଚିତ୍କାର କରିବାରୁ ଚୋରଟି ତାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେଇ ପଳାଇଥିଲା। ଶାଶୁଙ୍କ ପାଟି ଶୁଣି ବୋହୂ ଉଠିବା ବେଳକୁ କବାଟ ବାହାରୁ ବନ୍ଦ ଥିବା ଜାଣିଥିଲେ। ଚୋରଟି ଘରୁ ଜିନିଷ ପତ୍ର ଓ ଟଙ୍କା ନେଇ ଯାଉଥିବାର ସେ ଝରକା ପଟେ ଦେଖିଥିଲେ। ବୋହୂଙ୍କ କହିବାନୁସାରେ, ଘରୁ ଚୋରି କରିଥିବା ବ୍ୟକ୍ତି ଧଳା ରଙ୍ଗର ସାର୍ଟ ପିନ୍ଧିଥିଲା। ସେ ଘରୁ ଖସିବା ପାଇଁ ଲୁଗା ବ୍ୟବହାର କରିଥିଲା। ଏଥିସହ ଗଲା ବେଳେ ସେ ଘର ବାହାରେ ଗହଣା ଖୋଳଗୁଡ଼ିକ ଫିଙ୍ଗି ଦେଇଯାଇଛି। ଅଭିଯୋଗ ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।
ନାଲ୍କୋ ଅଞ୍ଚଳରେ ଚୋରି: ରାତି ଅଧରେ ଘରୁ ଲୁଟି ନେଲେ ସୁନା ଓ ନଗଦ ଟଙ୍କା
- Post published:March 13, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
