ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ୧୦ ବର୍ଷରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, କଲେଜ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଏକ ନାମୀ ଦାମୀ ଶିକ୍ଷାନୁଷ୍ଠାନ ହେଉଛି ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ। ଶିକ୍ଷା କ୍ଷେତ୍ରରେ ଏହି କଲେଜର ଅନେକ ଗରିମା ରହିଆସିଛି। କିନ୍ତୁ କିଛି ଅସାଧୁ ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ କଲେଜ ବଦନାମ ହେଉଛି। ଆଜି ସେଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି।
୨୦୧୫ ମସିହାରେ ଏହି କଲେଜରେ ଏକ ଉନ୍ନତମାନର ଲାଙ୍ଗୁଏଜ୍ ଲ୍ୟାବ ତିଆରି କରାଯାଇଥିଲା। ଏହି ଲ୍ୟାବରେ ପିଲାଙ୍କୁ ଇଂରାଜୀ ଭାଷାରେ କହିବା ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲା। ଏହି ଲ୍ୟାବକୁ ଖଡ଼ଗପୁର ସ୍ଥିତ ଏକ କମ୍ପାନୀ ତିଆରି କରି ତତ୍କାଳୀନ ଅଧ୍ୟକ୍ଷ ଗିରିଜା ଶଙ୍କର ମହାପାତ୍ରଙ୍କୁ ହସ୍ତାନ୍ତର କରିଥିଲା। ପ୍ରଥମ ଦିନରୁ ଇଂରାଜୀ ବିଭାଗର ମୁଖ୍ୟ ଦିଲ୍ଲୀପ କୁମାର ପ୍ରଧାନଙ୍କୁ ଲ୍ୟାବ ଇନ୍ ଚାର୍ଜ ଦାୟିତ୍ଵ ଦିଆଯାଇଥିଲା। ଅବସର ନେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ଥିଲେ। ପରେ ନୂଆ ବିଭାଗ ମୁଖ୍ୟ ସରୋଜ କୁମାର ପ୍ରଧାନ ଇନ୍ ଚାର୍ଜ ଦାୟିତ୍ଵ ତୁଲାଇଥିଲେ। ତାଙ୍କ ବଦଳି ହୋଇ ସେ ଏବେ ଖମାର କଲେଜର ଅଧ୍ୟକ୍ଷ ଭାବରେ ଅଛନ୍ତି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଉକ୍ତ ଲ୍ୟାବରୁ ଫିଲିପସ କମ୍ପାନୀର ୨୬ ଟି ହେଡଫୋନ୍, ସୋନି କମ୍ପାନୀର ଏକ କ୍ୟାମେରା ଗାଏବ ହୋଇଛି। ୨୬ ଟି ହେଡଫୋନର ମୂଲ୍ୟ ୨୨,୩୭୦ ଟଙ୍କା ଓ କ୍ୟାମେରାର ମୂଲ୍ୟ ୪୨,୫୬୫ ଟଙ୍କା। ପୂର୍ବରୁ ଥିବା ଅଧ୍ୟକ୍ଷ ବିନୟ କୁମାର ଖିଲାରଙ୍କ ସମୟରେ ଲ୍ୟାବରେ ଲାଗିଥିବା ଦୁଇଟି ଏସି ଚୋରି ହୋଇଥିଲା। କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ କଲେଜ୍ ତରଫରୁ ଥାନାରେ କୌଣସି ଏତଲା ଦିଆଯାଇନାହିଁ।
ଏ ନେଇ କଲେଜ୍ ଗଭର୍ଣ୍ଣିଙ୍ଗ ବଡି ସଭାପତି ତଥା ଅନୁଗୁଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କଲେଜ ଅଧ୍ୟକ୍ଷଙ୍କୁ ବି ଏହି ମାମଲାରେ ରିପୋର୍ଟ ତଲବ ହୋଇଛି। କିନ୍ତୁ ଏବେ ଯାଏଁ ଚୋର ଧରାପଡ଼ିନାହିଁ। ଏଣୁ ଯେଉଁମାନେ ଜିନିଷ ଗାଏବ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।