ଅନୁଗୁଳ: ଅନୁଗୁଳ ଜିଲ୍ଲା ଫାକଟ୍ରିଜ୍ ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଉପଖଣ୍ଡ ସ୍ତରୀୟ କର୍ମଶାଳା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସ୍ପି)ର ସମ୍ମିଳନୀ କକ୍ଷରେ ବୁଧବାର ଆୟୋଜିତ ହୋଇଯାଇଛି। ତାପଜ ବିଦ୍ୟୁତ କେନ୍ଦ୍ରରେ ନିରାପତ୍ତା ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଗୁରୁତ୍ଵ ପ୍ରଦାନ କରିବା ସହ ବିପଦ ନିୟନ୍ତ୍ରଣ ଏବଂ ଏହାର ସୁପରିଚାଳନା କିପରି କରାଯାଇପାରିବ ସେ ନେଇ ଏହି କର୍ମଶାଳା କରାଯାଇଛି।
ଏଥିରେ ଫାକଟ୍ରିଜ ଆଣ୍ଡ ବଏଲର୍ସ ବିଭାଗର ଅନୁଗୁଳ ଜୋନ୍ ଉପ-ନିର୍ଦ୍ଦେଶକ ଡଃ ରମେଶ କୁମାର ବେହେରା, ସହ-ନିର୍ଦ୍ଦେଶିକା ଜୋନ-୧ ଅର୍ଚ୍ଚନା ଦାସ, ଜେଏସ୍ପି ପ୍ରକଳ୍ପ ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା, ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ପ୍ରମୁଖ ଯୋଗ ଦେଇ ନିଜର ଅଭିଜ୍ଞତା ଉପସ୍ଥାପନ କରିବା ସହ ନିୟମିତ ବ୍ୟବଧାନରେ ଏହି ପ୍ରକାର କର୍ମଶାଳା ଆୟୋଜନର ମହତ୍ଵ ସମ୍ପର୍କରେ କହିଥିଲେ।
ପ୍ରାରମ୍ଭରେ ଫାକଟ୍ରିଜ୍ ଆଣ୍ଡ ବଏଲର୍ସର ସହ-ନିର୍ଦ୍ଦେଶିକା ଶ୍ରୀମତୀ ଦାସ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଉପ-ନିର୍ଦ୍ଦେଶକ ଶ୍ରୀ ବେହେରା କର୍ମଶାଳା ବିଷୟବସ୍ତୁ ଉପରେ ଚିନ୍ତା ପ୍ରକଟ କରିବାସହ ଅକୁପେସନାଲ ରୋଗ ବିଷୟରେ ନିଜର ମତାମତ ରଖିଥିଲେ। ଏଥିରେ ଅନୁଗୁଳ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲ୍ଲିକ, ତାପଜ ବିଦ୍ୟୁତ କେନ୍ଦ୍ରରେ ଧୁଳିକଣା ସମସ୍ୟା ଓ ଏହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲେଶଚନା କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନାଲଷକା ନିର୍ବାହୀ ନିର୍ଦ୍ଦେଶକ ବି. ପ୍ରଧାନ, ଟିଏସଟିପିଏସ ନିର୍ବାହୀ ନିର୍ଦ୍ଦେଶକ କେଏସ୍ ସୁନ୍ଦରମ୍, ଜେଏସ୍ପିର ଇଭିପି ଅତୁଲ ଦୁବେ, ନବ ଲିମିଟେଡ ଭିପି ଜି ପ୍ରକାଶ, ଜେଆଇଟିପିଏଲ ପ୍ଳାଣ୍ଟ ମୁଖ୍ୟ ରାଜ କୁମାର ଚୌଧୁରୀ, ଏବଂ ଟାଟା ଷ୍ଟିଲର ମୁଖ୍ୟ ନିରାପତ୍ତା ଅଧିକାରୀ ଅଗମ କୁମାର ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
କର୍ମଶାଳାରେ ବିଭିନ୍ନ ଶିଳ୍ପ ସଂସ୍ଥାର ଅକୁପେସନାଲ ସ୍ୱାସ୍ଥ୍ୟ ବିଭାଗର ଡାକ୍ତରମାନେ ଯୋଗଦେଇ ଅକୁପେସନାଲ ସ୍ୱାସ୍ଥ୍ୟ ସମ୍ପର୍କରେ ନିଜ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ।