ଅନୁଗୁଳ (Jugal Kishore Sahoo): କିଛି ମାସର ନିରବତା ପରେ କଣିହାଁ ବ୍ଳକ୍ ତଥା ସମଲ ଥାନା ଇଲାକାରେ ପୁଣି ମାତିଲେ ଚୋର। ସୋମବାର ରାତିରେ ଏକ ଲୁଗାଦୋକାନ ଆଜବେଷ୍ଟସ ତାଡ଼ି ଟଙ୍କା ଓ ଏଟିଏମ୍ କାର୍ଡ଼ ନେଇ ଯାଇଛନ୍ତି ଦୁର୍ବୃତ୍ତ। ଏ ନେଇ ସମଲ ଥାନାରେ ଗତକାଲି ଦୋକାନ ମାଲିକଙ୍କ ବାପା ତଥା ଡେରାଗୋଳା ଗ୍ରାମର ଗୋବର୍ଦ୍ଧନ ପ୍ରଧାନ(୫୯) ଅଭିଯୋଗ ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଡେରାଗୋଳା ଗ୍ରାମ ଭିତରେ ପୁଅ ଅଶୋକ ପ୍ରଧାନଙ୍କର ଏକ ଲୁଗା ଦୋକାନ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ରହିଛି। ସବୁ ରାତିରେ ଅଶୋକ ଦୋକାନରେ ଶୋଇଥାନ୍ତି। ରବିବାର ରାତିରେ ସେ ଦୋକାନରେ ଶୋଇଥିଲେ, ହେଲେ ପତ୍ନୀ ଅସୁସ୍ଥ ଥିବା ଖବର ପାଇ ମଧ୍ୟ ରାତ୍ରରେ ଘରକୁ ଆସିଥିଲେ । ଭୋର୍ରୁ ତାଙ୍କ ପତ୍ନୀଙ୍କୁ ଧରି ସେ କଟକ ବଡ଼ ମେଡ଼ିକାଲ ଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଦୋକାନର ଟିଣ ଆବେଷ୍ଟସ କାଟି ଭିତରକୁ ପଶିବା ସହ କଳାକନା ବୁଲାଇ ଦେଇଥିଲେ। ଦୋକାନ କ୍ୟାସ୍ ବକ୍ସରୁ ୩୬ ହଜାର ଟଙ୍କା ଓ ଏକ ଏଟିଏମ୍ କାର୍ଡ଼ ନେଇଯାଇଥିଲେ। କାର୍ଡ଼ରୁ ପାସ୍ୱାର୍ଡ ପାଇ ସୋମବାର ସକାଳ ପ୍ରାୟ ୬ଟା ବେଳେ ସରାଙ୍ଗ ପେଟ୍ରୋଲ୍ ଟାଙ୍କି ଏଟିଏମ୍ରୁ ୩ଟି କିସ୍ତିରେ (୫ ହଜାର, ୧୦ ହଜାର ଓ ୧୦ ହଜାର)୨୫ ହଜାର ଉଠାଇ ନେଇଥିଲେ। ତାଙ୍କ ଏକାଉଣ୍ଟ୍ରୁ ଟଙ୍କା ଉଠାଣ ନେଇ ଅଶୋକଙ୍କ ମୋବାଇଲକୁ ମେସେଜ୍ ଯିବା ପରେ ଘରକୁ ପଚରାଉଚୁରା କରି ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏସ୍ଆଇ ରାମଚନ୍ଦ୍ର ମହାଲିକ ମାମଲାର ତଦନ୍ତ କରୁଥିବା ବେଳେ ସ୍ଥାନୀୟ କିଛି ଦୁର୍ବୃତ୍ତଙ୍କ ଏଥିରେ ହାତ ଥିବା ସନ୍ଦେହ କରାଯାଉଛି।
ସମଲ ଥାନା ଇଲାକାରେ ଚୋରଙ୍କ ଉତ୍ପାତ
- Post published:September 8, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
