ଅନୁଗୁଳ: କରୋନା ଟିକା ନେଇ ମଧ୍ୟ ନାଲ୍କୋ ଡାକ୍ତରଖାନାର ୩ ଜଣ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ନାଲକୋ ଡାକ୍ତରଖାନାର ଜଣେ ଡାକ୍ତର ଗତ ଏପ୍ରିଲ ମାସରେ ୨ୟ ଡୋଜ୍ କୋଭିସିଲ୍ଡ଼ ଟିକା ନେଇଥିଲେ। ତାଙ୍କଠାରେ କରୋନାର କିଛି ଲକ୍ଷଣ ନଥିଲା। ଓପିଏସ୍ସିର ଏକ ପରୀକ୍ଷା ଦେବା ପାଇଁ ଏହି ଡାକ୍ତର କରୋନା ସଂକ୍ରମିତ ନୁହନ୍ତି ବୋଲି ରିପୋର୍ଟ ଦେଖାଇବା ଦରକାର ପଡ଼ିଲା | ସେ ତେଣୁ ନିଜର କରୋନା ପରୀକ୍ଷା କରାଇଥିଲେ । ସେ କରୋନା ସଂକ୍ରମିତ ବୋଲି ବୁଧବାର ରିପୋର୍ଟ ଆସିଛି। ସେହିପରି ନାଲକୋ ଡାକ୍ତରଖାନାର ଅନ୍ୟ ଜଣେ ଡାକ୍ତର ଓ ପାରା ମେଡ଼ିକାଲ କର୍ମଚାରୀ ଥଣ୍ଡା କାଶରେ ପୀଡ଼ିତ ହୋଇଥିଲେ। ପରୀକ୍ଷା ପରେ ସେମାନେ ସଂକ୍ରମିତ ବୋଲି ଜଣାପଡ଼ିଲା। ସେ ଦୁହେଁ ମଧ୍ୟ ପୂର୍ବରୁ କରୋନା ଟିକା ନେଇଛନ୍ତି। ଏବେ ୩ଜଣଯାକ ସଙ୍ଗରୋଧରେ ରହିଛନ୍ତି। ଟିକା ନେବା ପରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ତିଆରି ପାଇଁ ସମୟ ଲାଗିପାରେ। ତେଣୁ କରୋନା ଟିକା ନେଇଥିଲେ ସୁଦ୍ଧା ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।
ଟିକା ନେଇଥିବା ୩ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ
- Post published:May 7, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal
