ନିଯୁକ୍ତି, ଗମନାଗମନ ଆଦି ନେଇ ୩ ଦଫା ଦାବି: ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

You are currently viewing ନିଯୁକ୍ତି, ଗମନାଗମନ ଆଦି ନେଇ ୩ ଦଫା ଦାବି: ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡର ଯୁବକ ଯୁବତୀଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଖଣି ଖାଦାନ ଓ କଳକାରଖାନାରେ କାର୍ଯ୍ୟରତ ସମସ୍ତ ସଂସ୍ଥାର ରେଜିଷ୍ଟ୍ରେସନ କରିବାକୁ ଓ ସ୍ଥାନୀୟବାସୀଙ୍କ ଯାତାୟାତ ସମସ୍ୟା କରିବାକୁ ଆଜି ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି। ତିନି ଦଫା ଦାବି ସମ୍ବଳିତ ଏହି ପତ୍ରକୁ ସହକାରୀ ଜିଲ୍ଲାପାଳ ଗ୍ରହଣ କରିଛନ୍ତି।
ଏହି ଦାବି ପତ୍ରରେ କୁହାଯାଇଛି ଯେ ତାଳଚେର ଉପଖଣ୍ଡ ମଧ୍ୟରେ ବସବାସ କରୁଥିବା ଜନସାଧାରଣଙ୍କ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉ। ଖଣି କଳକାରଖାନାରେ କାର୍ଯ୍ୟରତ କମ୍ପାନୀ, ସାଇଲୋ, ସିକ୍ୟୁରିଟି ସଂସ୍ଥା, ଠିକାଦାରଙ୍କ ସର୍ଭିସ ରେଜିଷ୍ଟର ତଦନ୍ତ କରି ସ୍ଥାନୀୟ ପ୍ରଶାସନଙ୍କ ଉପସ୍ଥିତିରେ ସାର୍ବଜନୀନ କରାଯାଉ ଏବଂ ସେଠାରେ ତାଳଚେର ଉପଖଣ୍ଡର କେତେଜଣ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି ତାହା ନିଶ୍ଚିତ କରାଯାଉ। ସେହିପରି ଶିକ୍ଷିତ ଯୁବକ ଯୁବତୀ, କୁଶଳୀ, ଅର୍ଦ୍ଧ କୁଶଳୀ, ଅଣ କୁଶଳୀ ଯୁବବର୍ଗ ଉପକୃତ ହେବାପାଇଁ ଲୋକାଲ ରିକ୍ୟୁଟିମେଣ୍ଟ ଅଫିସ ଖୋଲାଯାଉ ବୋଲି ଦାବି ରହିଛି। ଏଥିସହିତ ରାଜରାସ୍ତା ଉପରେ ଦୁର୍ଘଟଣା ମାତ୍ରା ବଢ଼ିବାରେ ଲାଗିଛି। ଏଣୁ ରାସ୍ତା କାମ ତୁରନ୍ତ ଶେଷ କରାଯାଉ।
ନଚେତ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ଏହି ଦାବି ପତ୍ର ପ୍ରଦାନ ବେଳେ ଜନବିକାଶ କଲ୍ୟାଣ ସଂଘର ସଭାପତି ଭୁପେନ ଥମ୍ବ, ସମ୍ପାଦକ ଦ୍ରୁମଦ କୁମାର ପ୍ରଧାନ, ଜିତେନ୍ଦ୍ର ମହାପାତ୍ର, କୈଳାସ ବେହେରା, ଦିବ୍ୟରଞ୍ଜନ ବାରିକ, ହିମାଂଶୁ ଶେଖର ମିଶ୍ର, କିଶୋର କୁମାର ସାହୁ, ଗଗନ ବିହାରୀ ଦାସ, ଭାଗିରଥୀ ସାହୁଙ୍କ ସମେତ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply