ମା’ । ଏଇ ଗୋଟିଏ ଶବ୍ଦରେ ଯେମିତି ସାରା ଦୁନିଆର ସ୍ନେହ ଭରି ରହିଛି । ଦୁନିଆର ସବୁ ଶବ୍ଦ ଯାହା ପାଖରେ ଫିକା ସେ ହେଉଛି ମା’। ବିଶ୍ବର ସର୍ବଶ୍ରେଷ୍ଠ ଯୋଦ୍ଧା ହେଉଛି ମା’। ମା’ ଶବ୍ଦଟି ଛୋଟ ହୋଇପାରେ କିନ୍ତୁ ଏହାର ଅର୍ଥ ବ୍ୟାପକ। ୧୦ ମାସ ୧୦ ଦିନ ନିଜ ଗର୍ଭର ଛାୟାରେ ଆଉ ଏକ ଜୀବନକୁ ପାଳି ଏକ ନୂତନ ସମ୍ଭାବନାକୁ ଯେ ସଂସାରକୁ ଆଣେ ସେ ହେଉଛି ମା’ । ସ୍ୱର୍ଗଠାରୁ ବଡ଼, ପୁଣି ଈଶ୍ୱରଙ୍କଠୁ ମହାନ। ସେଇ ପ୍ରେରଣାଦାୟୀ, ମମତାମୟୀ ମା’ ପାଇଁ ଆଜି ଦିନଟି ଉତ୍ସର୍ଗ। ମା’ର ତ୍ୟାଗ ଓ ମମତାକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସର ଦ୍ବିତୀୟ ରବିବାରକୁ ‘ମାତୃ ଦିବସ’ ଭାବେ ପାଳନ କରାଯାଏ। ଏହି ଦିନ ସନ୍ତାନମାନେ ନିଜ ଜୀବନରେ ମା’ ର ସ୍ଥାନ କ’ଣ ବୋଲି ଜଣାଇବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାଆନ୍ତି।
ମାତୃଦିବସ ପାଳନ କରିବାର ପରମ୍ପରା ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଏହାର ଶ୍ରେୟ ଆମେରିକାର ଆନ୍ନା ଏମ୍ ଜାରଭିସ୍ଙ୍କୁ ଦିଆଯାଏ। ଆନ୍ନାଙ୍କର ମା’ଙ୍କର ଦେହାନ୍ତ ହେବାର ଦୁଇବର୍ଷ ପରେ ଆନ୍ନା ଏବଂ ତାଙ୍କ ସାଙ୍ଗମାନେ ଏକ ଅଭିଯାନ ଆରମ୍ଭ କଲେ। ମାତୃଦିବସକୁ ଜାତୀୟ ଛୁଟିଦିନ ଘୋଷଣା ପାଇଁ ସେ ଜନସାଧାରଣଙ୍କ ସମର୍ଥନ ହାସଲ କରିଥିଲେ। ସେ ଦେଖିଲେ ଯେ, ପିଲାମାନେ ସେମାନଙ୍କ ମା’ଙ୍କ ଅବଦାନକୁ ଭୁଲିଯାଉଛନ୍ତି। ସେ ଚାହୁଁଥିଲେ ମା’ମାନେ ଜୀବିତ ଥିବାବେଳେ ତାଙ୍କ ପିଲାମାନେ ତାଙ୍କୁ ସମ୍ମାନ ଦିଅନ୍ତୁ।
ମେ’ ୮, ୧୯୧୪ ମସିହାରେ ଆମେରିକାର ସଂସଦ ମେ’ ମାସର ଦ୍ବିତୀୟ ରବିବାରକୁ ମାତୃଦିବସ ଘୋଷଣା କରିଥିଲା। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଉଇଲସନ୍ ମଧ୍ୟ ଏହି ଦିନକୁ ଜାତୀୟ ଛୁଟି ଘୋଷଣା କରିଥିଲେ। ସେହିଦିନରୁ ମାତୃଦିବସ ପାଳନ କରାଯାଉଛି। ଭାରତରେ ମଧ୍ୟ ଗତ କିଛି ବର୍ଷ ହେଲାଣି ମାତୃ ଦିବସ ପାଳନ କରାଯାଉଛି। ଏହି ଦିନ ସନ୍ତାନସନ୍ତତିମାନେ ମା’ଙ୍କର ଫଟୋ ସହ ତାଙ୍କ ଉଦ୍ଦେଶ୍ୟରେ ସୁନ୍ଦର ସୁନ୍ଦର ବାର୍ତ୍ତା ଲେଖିଥାନ୍ତି। ଏଥିସହ ଏବେ ପିଲାମାନେ ମା’ଙ୍କୁ ତାଙ୍କ ମନପସନ୍ଦର ଉପହାର ବି ଦେଉଥିବା ନଜିର ରହିଛି।