ଅନୁଗୁଳ : ଅନୁଗୁଳ ସହରର ଯାତାୟାତ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଥିବା ସହରର ବିଭିନ୍ନ ଛକରେ ଥିବା ଟ୍ରାଫିକ ସିଗ୍ନାଲ ଲାଇଟକୁ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଇଛି। ଶନିବାର ସନ୍ଧ୍ୟାରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥାନାଛକଠାରେ ଏହି ସ୍ୱୟଂଚାଳିତ ଟ୍ରାଫିକ ସିଗ୍ନାଲ ବ୍ୟବସ୍ଥାର ଶୁଭ ଉଦ୍ଘାଟନ କରିଛନ୍ତି।
ଏହି ସ୍ୱତନ୍ତ୍ର ଉଦ୍ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ନଗରପାଳ ଅକ୍ଷୟ ସାମନ୍ତ, ଜିଲ୍ଲାପାଳ ଅବବ୍ଦାଲ ଏମ୍ ଅଖତର , ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଏବଂ ଅନୁଗୁଳ ଏସପି ରାହୁଲ ଜୈନ ଉପସ୍ଥିତ ଥିଲେ। ଏଥିସହିତ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଜେନା ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।
ଏହି ବୈଦ୍ୟୁତିକ ଟ୍ରାଫିକ ସିଗ୍ନାଲ ବ୍ୟବସ୍ଥା ପାଇଁ ନାଲକୋ ନିଜର ସିଏସଆର ପାଣ୍ଠିରୁ ୬୭ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛି। ଅନୁଗୁଳ ପୌରପାଳିକା ପକ୍ଷରୁ ଏହି ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ କରାଯାଇଥିବା ବେଳେ ପୋଲିସ ବିଭାଗ ଏହାର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ତୁଲାଇବ। ଆଗାମୀ ଦିନରେ ଜାତୀୟ ରାଜପଥ ସମେତ ସହରର ଅନ୍ୟାନ୍ୟ ପ୍ରମୁଖ ଛକମାନଙ୍କରେ ମଧ୍ୟ ନାଲକୋ ସହାୟତାରେ ଏଭଳି ସିଗ୍ନାଲ ବ୍ୟବସ୍ଥା କରାଯିବାର ଯୋଜନା ରହିଛି।
ସହରରେ ଟ୍ରାଫିକ ଭିଡ଼ ଏବଂ ଦୁର୍ଘଟଣା ରୋକିବାରେ ଏହି ବ୍ୟବସ୍ଥା ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି। ଅନ୍ୟପଟେ, ନାଲକୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସହର ଭିତରେ ଟ୍ରକ ଚଳାଚଳ କମାଇବା ପାଇଁ କୋଇଲା ପରିବହନକୁ ରେଳପଥ ମାଧ୍ୟମରେ କରିବାକୁ ପଦକ୍ଷେପ ନିଆଯାଇଛି। ଏଥିସହିତ ସହର ବାହାରେ ଏକ ବାଇପାସ ରାସ୍ତା ନିର୍ମାଣ କରି କୋଇଲା ପରିବହନ କରିବା ପାଇଁ ପ୍ରସ୍ତାବ ରଖାଯାଇଛି, ଯାହାଦ୍ୱାରା ଜନସାଧାରଣଙ୍କ ଯାତାୟାତ ଆହୁରି ସୁରକ୍ଷିତ ହୋଇପାରିବ।


