ଅନୁଗୁଳ: ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତ ଚମ୍ପତ୍ତିମୁଣ୍ଡା ଗ୍ରାମ୍ୟ କମିଟି ତରଫରୁ ଗୁରୁବାର ବୃକ୍ଷରୋପଣ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଚମ୍ପତ୍ତିମୁଣ୍ଡା ପୋଷ୍ଟ ବେସିକ ବିଦ୍ୟାଳୟ ପରିସର ଓ ଏହାର ମୁଖ୍ୟ ରାସ୍ତାରେ ୩୦୦ ଗଛ ଲଗାଯାଇଥିଲା।
ଗ୍ରାମ ସଭାପତି ପଦ୍ମଚରଣ ବିଶ୍ଵାଳଙ୍କ ନେତୃତ୍ବରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବଡ଼କେରା ସରପଞ୍ଚ ହାଡିବନ୍ଧୁ ବେହେରା, ସମ୍ମାନିତ ଅତିଥି ଭାବେ ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ସିଦ୍ଧାର୍ଥ ଶେଖର ବରାଳ, ବେସିକ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଆରତି ଗଡ଼ନାୟକ, ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରଙ୍କ ସମେତ ଗ୍ରାମବାସୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ବିଭିନ୍ନ ବ୍ରିଡର ୧୦୦ଟି ଆମ୍ବଗଛ, ୩୦ଟି ଲିଚୁ ଗଛ, ୩୦ଟି ଅଁଳାଗଛ, ୫୦ଟି ବଟଲପାମ ଗଛ ସହ ବହୁ ଔଷଧୀୟ ବୃକ୍ଷରୋପଣ କରାଯାଇଛି।
ବୃକ୍ଷରୋପଣ ପାଇଁ ସମସ୍ତ ଖର୍ଚ୍ଚ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଗ୍ରାମବାସୀ ନେବେ ବୋଲି ପ୍ରକାଶ କରିଛନ୍ତି। ଶେଷରେ ଗ୍ରାମ୍ୟ କମିଟି ସଂପାଦକ ରତ୍ନ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।