ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଚରମ ଅବହେଳା: ତାଳଚେର ସେଣ୍ଟ୍ରାଲ ହସ୍ପିଟାଲରେ ହୋଇପାରୁନି ଅଲ୍ଟ୍ରାସାଉଣ୍ଡ ; ଶୋଷୁଛନ୍ତି ଘରୋଇ ନର୍ସିଂହୋମ୍
ତାଳଚେର: ତାଳଚେର ଏମସିଏଲ କେନ୍ଦ୍ରୀୟ ଚିକିତ୍ସାଳୟରେ ଅଲ୍ଟ୍ରାସାଉଣ୍ଡ ହୋଇପାରୁନଥିବାରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଏହାର ସୁଯୋଗ ନେଇ ଘରୋଇ ନର୍ସିଂହୋମଗୁଡିକ ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି। ତେବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନବୀକରଣ ଅନୁମତି ସାର୍ଟିଫିକେଟ ଦିଆଯାଇ ନଥିବାରୁ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇହେଉନାହିଁ। ବିଗତ ମେ ମାସରୁ ଏଥିପାଇଁ ଆବେଦନ କରାଯାଇଥିଲେ ମଧ୍ୟ ତାହାକୁ ଏବେ ଯାଏଁ ଅନୁମତି ମିଳିନଥିବା ଜଣାଯାଇଛି।
ରିପୋର୍ଟ ମୁତାବକ, ଯଥେଷ୍ଟ ସମୟ ପୂର୍ବରୁ ଏମସିଏଲ ସେଣ୍ଟ୍ରାଲ ହସ୍ପିଟାଲ କର୍ତ୍ତୃପକ୍ଷ ମେସିନ ରେନ୍ୟୁ ନିମିତ୍ତ ଆବେଦନ କରିଥିଲେ। କିନ୍ତୁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଏବେ ଯାଏଁ ଏନେଇ ଅନୁଧ୍ୟାନ କରିବାକୁ ଆସିନାହିଁ। ତାଳଚେର ପାରିପାର୍ଶ୍ବିକ ଅଞ୍ଚଳରେ ଭିତ୍ତିଭୂମି ନଥାଇ ମଧ୍ୟ ଅନେକ କ୍ଲିନିକ/ ନର୍ସିଂହୋମକୁ ଅନୁମତି ମିଳିଥିବା ବେଳେ ଏମସିଏଲ କେନ୍ଦ୍ରୀୟ ଚିକିତ୍ସାଳୟ ପ୍ରତି ଏଭଳି ମନୋଭାବ କାହିଁକି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ତେବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଅଲ୍ଟ୍ରାସାଉଣ୍ଡ ନବୀକରଣ ସାର୍ଟିଫିକେଟ ଜାରି କରିବାକୁ ସାଧାରଣରେ ଦାବି ହୋଇଛି।