ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ବଳରାମପ୍ରସାଦ ଠାରେ ଆୟୋଜିତ ‘ବିଶାଳ ଗରିବ କଲ୍ୟାଣ ସମ୍ମିଳନୀ’କୁ ସମ୍ବୋଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ ସେ ମୋଦି ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଜଳ ଜୀବନ ମିଶନରେ ଘରକୁ ପାନୀୟ ଜଳ, କିଷାନ ସମ୍ମାନ ନିଧିରେ ଚାଷୀଙ୍କୁ ଟଙ୍କା, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, କୋଭିଡ୍ ସମୟରେ ଜନଧନ ଯୋଜନାରେ ସିଧା ଟଙ୍କା, ମାଗଣା ଟିକାକରଣ ଆଦି ମୋଦି ସରକାରରେ ବଡ଼ ଉପଲବ୍ଧି । ଏହି ଗରିବ କଲ୍ୟାଣ ନୀତି ଆଧାରରେ ଦେଶରେ ସେବା, ସମର୍ପଣ ଓ ସୁଶାସନର ଚିନ୍ତା କରାଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।
ଗସ୍ତ କାଳରେ ଶ୍ରୀ ପ୍ରଧାନ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲିଙ୍କ ସହ ‘ଅମୃତ ସରୋବର’ ପ୍ରକଳ୍ପ ଅଧୀନରେ ବଳରାମପ୍ରସାଦ ପଞ୍ଚାୟତ ଅମାନ୍ତପୁର ଠାରେ ନୂଆ ପୋଖରୀ ପାଇଁ ଭୂମିପୂଜନ କରିଛନ୍ତି। ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ସାରା ଭାରତରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଜଳ ସଂକଟକୁ ଦୂର କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଲେଖାଏଁ ଅମୃତ ସରୋବର କରିବାକୁ ମୋଦି ସରକାର ଯୋଜନା କରିଛନ୍ତି। ଏହି ଆଧାରରେ ଶ୍ରୀ ପ୍ରଧାନ ଜିଲ୍ଲାରେ ଅମୃତ ସରୋବରର ଶୁଭାରମ୍ଭ କରିଛନ୍ତି ବୋଲି କହିଥିଲେ।
ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ପ୍ରାକ୍ତନ ମନ୍ତୀ ସଂଜୀବ ସାହୁ, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଭାଗିରଥି ପ୍ରଧାନ, ପ୍ରତିମା ମିଶ୍ର, ନୃସିଂହ ବରାଳ, ଚୌଧୁରୀ ପ୍ରଧାନ, ଲିଙ୍ଗରାଜ ଦାସ, ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ସୁଦିପ ଗଡ଼ନାୟକ, ପ୍ରକାଶ ମହାରଣା, ବିଜୟ ମାଝୀ, ପର୍ଶୁରାମ ବାରିକ, ଅନିଲ ବେହେରା, ପ୍ରଶାନ୍ତ ନନ୍ଦଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।