ଅନୁଗୁଳ: ପିଲାଦିନର ସ୍କୁଲ ପରିଦର୍ଶନ କରି ଛୁଆ ବେଳର ସ୍ମୃତି ଉଜ୍ଜୀବିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’ ବୁଲିଛନ୍ତି କେନ୍ଦ୍ର ମନ୍ତ୍ରୀ।
ଏ ଅବସରରେ ସେ କହିଛନ୍ତି, ଅନେକ ଦିନର ବ୍ୟବଧାନ ପରେ ଆଜି ମୁଁ ମୋର ସ୍କୁଲକୁ ଆସି ବହୁତ ଆନନ୍ଦିତ । ୧୯୭୭ ମସିହାରେ ଏହି ସ୍କୁଲରେ ମୁଁ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିଛି। ଆଜି ମୁଁ ଯେଉଁଠି ବି ପହଞ୍ଚିଛି, ଏହି ସ୍କୁଲର ତତ୍କାଳୀନ ଦୁର୍ଗା ସାର୍, ମହେଶ୍ୱର ସାର୍ ଓ ଅନ୍ୟ ଗୁରୁଙ୍କ ଠାରୁ ମିଳିଥିବା ପ୍ରେରଣା କାରଣରୁ ସମ୍ଭବ ହୋଇଛି। ଏହି ସ୍କୁଲ ମୋ ପାଇଁ ମନ୍ଦିର ତୁଲ୍ୟ । ଆଜି ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭେଟିଲା ପରେ ଅନେକ ସ୍ମୃତି ପୁଣି ଦୃଶ୍ୟ ପଟ୍ଟରେ ଜୀବନ୍ତ ହେଲା, ଯାହା ମୋତେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ କହିଛନ୍ତି।