ବନ୍ତଳା: ଅନୁଗୁଳ ଜିଲ୍ଲାର ଅନୁଗୁଳ ବ୍ଲକ ଅଧିନ ମାଣିକଯୋଡ଼ି ପଞ୍ଚାୟତର କନ୍ଧକୋଇଲି-ସିଟିକୋଇଲି ଗାଁର ମୁଖ୍ୟ ରାସ୍ତାରେ ଅତ୍ୟଧିକ ବର୍ଷା ଯୋଗୁଁ ଗତ ୧୫ ଦିନ ହେଲା ୧୦ ଫୁଟ ଗଭୀର ଘାଇ ସୃଷ୍ଟି ହୋଇଛି। ଏହି ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜନଜାତିର ପ୍ରାୟ ୧୦୦ରୁ ଅଧିକ ପରିବାର ଏହି ଘାଇ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବତନ ସମିତି ସଭ୍ୟ ପ୍ରକାଶ ଚିରଗୁଣି ଅଭିଯୋଗ କରିଛନ୍ତି ଯେ, ସରକାର ଅନୁସୂଚିତ ଜନଜାତିଙ୍କ ପାଇଁ ବିଭିନ୍ନ ଯୋଜନାର ଡିଣ୍ଡିମ ପିଟୁଥିବା ଦାବି କଲେ ମଧ୍ୟ, ଗାଁର ମୁଖ୍ୟ ରାସ୍ତାରେ ସୃଷ୍ଟି ହୋଇଥିବା ଏହି ଘାଇ ଯୋଗୁଁ ଗ୍ରାମବାସୀମାନେ ବହୁ ସମସ୍ୟାରେ ପଡ଼ିଛନ୍ତି।
ସେ କହିଛନ୍ତି, “ଏହି ଘଟଣା ସମ୍ପର୍କରେ ସରପଞ୍ଚ, ଜେଇ ଓ ଅନୁଗୁଳ ବିଡ଼ିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।” ଏହି ଘାଇ ଯୋଗୁଁ ଗାଁର ଛାତ୍ରଛାତ୍ରୀ, ଗର୍ଭବତୀ ମହିଳା ଓ ରୋଗୀମାନେ ଚିକିତ୍ସା ଓ ବିଦ୍ୟାଳୟ ଯିବା ପାଇଁ ଜଙ୍ଗଲ ମଧ୍ୟଦେଇ ଥିବା ବାଉଁଶ ବଣର ବିପଜ୍ଜନକ ଗଳିରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି, ଯାହା ଅତ୍ୟନ୍ତ ବିପଦସଙ୍କୁଳ। ଗାଁର ଅନ୍ୟ ବାସିନ୍ଦା କାର୍ତ୍ତିକ ପଧାନ, ଧୃବଚରଣ ଚିରଗୁଣି, ଲମ୍ବୋଦର ବିଶ୍ୱାଳ ଓ ଦେବାନନ୍ଦ ବିଶ୍ୱାଳ ଅଭିଯୋଗ କରିଛନ୍ତି ଯେ, ଗତ ୧୫ ଦିନ ମଧ୍ୟରେ ଦୁଇ ଥର ବିଡ଼ିଓଙ୍କୁ ରାସ୍ତା ମରାମତି ପାଇଁ ଅବଗତ କରାଯାଇଥିଲେ ମଧ୍ୟ, ଜଙ୍ଗଲି ଓ ଅନୁସୂଚିତ ଜନଜାତି ଅଞ୍ଚଳ ହୋଇଥିବା କାରଣରୁ ପ୍ରଶାସନ ଜନତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନାହିଁ।
ଏନେଇ ମାଣିକଯୋଡ଼ି ପଞ୍ଚାୟତର ସରପଞ୍ଚ ରମେଶନ ପଧାନ କହିଛନ୍ତି, “ଆପତକାଳୀନ ବ୍ୟୟ ପାଇଁ ଆମ ପାଖରେ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା ନାହିଁ। ଏହି ଘାଇ ମରାମତି ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। କାମଚଳା କାର୍ଯ୍ୟ ପାଇଁ ଏନଆରଜିଏସ ମାଧ୍ୟମରେ କୋଡ଼ିଙ୍ଗ କରାଯାଇଛି ଏବଂ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଯଦି ସ୍ୱତନ୍ତ୍ର ଅର୍ଥ ବରାଦ ହୁଏ, ତେବେ ସ୍ଥାୟୀ ମରାମତି କାର୍ଯ୍ୟ ହୋଇପାରିବ।” ଘଟଣା ସମ୍ପର୍କରେ ଅନୁଗୁଳ ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ତେବେ ବ୍ଲକର ସହକାରୀ ଯନ୍ତ୍ରୀ ଆଲୋକ ମିଶ୍ର କହିଛନ୍ତି, “ରାସ୍ତା ନିର୍ମାଣ ପାଇଁ ଏଷ୍ଟିମେଟ କରାଯାଇଛି। ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ।” ଏହି ଘଟଣା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ, ରାସ୍ତାର ଶୀଘ୍ର ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି, ଯାହା ଦ୍ୱାରା ସେମାନେ ନିରାପଦ ଓ ସୁବିଧାଜନକ ଯାତାୟାତ କରିପାରିବେ।