ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌର ପରିଷଦରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଡଃ ପ୍ରଦୀପ କୁମାର ସାହା ଯୋଗ ଦାନ କରିଛନ୍ତି। ଏଥିସହ ଏହି ପଦରେ ଥିବା ପୂର୍ବତନ ନିର୍ବାହୀ ଅଧିକାରୀ ବଲୟ ଦେହୁରୀ ବିଦାୟ ନେଇଛନ୍ତି।
ପରିଷଦ ପକ୍ଷରୁ ନୂତନ ଅଧିକାରୀ ଶ୍ରୀ ଶାହାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ବିଦାୟୀ ଅଧିକାରୀ ଶ୍ରୀ ଦେହୁରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।
ପୌର ପରିଷଦର କାଉନସିଲ ହଲରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନଗରପାଳ ପବିତ୍ର ଭୂତିଆ ଯୋଗ ଦେଇ ବିଦାୟୀ ଅଧିକାରୀଙ୍କ କାମ ପାଇଁ ତାଙ୍କୁ ଅଞ୍ଚଳବାସୀ ମନେ ରଖିବେ ବୋଲି କହିଥିଲେ। ଏଥି ସହିତ ସମସ୍ତ କାଉନସିଲର, ପୌର ପରିଷଦର କର୍ମଚାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ତାଳଚେରରେ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଥିବାରୁ ପୌର ବାସୀଙ୍କ ପକ୍ଷରୁ ବିଦାୟୀ ଅଧିକାରୀ ଦେହୁରୀଙ୍କୁ ଧନ୍ୟବାଦ ଦେଇଥିଲେ।
ସେହିପରି ନୂତନ ଭାବେ ଯୋଗ ଦାନ କରିଥିବା ଅଧିକାରୀଙ୍କୁ ସ୍ୱାଗତ କରିଥିଲେ ନଗରପାଳ। ସେହିପରି ତାଳଚେରର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ପରିମଳ ବ୍ୟବସ୍ଥାକୁ ପ୍ରାଥମିକତା ଦେବେ ବୋଲି ନୂତନ ନିର୍ବାହୀ ଅଧିକାରୀ କହିଥିଲେ।
କାର୍ଯ୍ୟକ୍ରମରେ ତାଳଚେର ପୌର ପରିଷଦର ନିର୍ବାଚିତ ପ୍ରତିନିଧି, ପୌର ଯନ୍ତ୍ରୀ, ବଡ଼ ବାବୁ ଚିତ୍ତ ରଞ୍ଜନ ପ୍ରଧାନଙ୍କ ସମେତ ପୌର ପରିଷଦର ବିଭିନ୍ନ ବିଭାଗର ମୁଖ୍ୟ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।















