ସ୍ୱାମୀଙ୍କ ଦ୍ୱିତୀୟ ବିବାହ ରୋକିବାରୁ ପ୍ରଥମ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କଲେ ଶାଶୁ ଘର ଲୋକ

You are currently viewing ସ୍ୱାମୀଙ୍କ ଦ୍ୱିତୀୟ ବିବାହ ରୋକିବାରୁ ପ୍ରଥମ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କଲେ ଶାଶୁ ଘର ଲୋକ

ଅନୁଗୁଳ: ବିନା ଛାଡ଼ପତ୍ରରେ ଦ୍ୱିତୀୟ ବିବାହ କରିଛନ୍ତି ସ୍ୱାମୀ। ଖବର ପାଇ ପ୍ରଥମ ସ୍ତ୍ରୀ ଯାଇ ବିରୋଧ କରିବାରୁ ସ୍ୱାମୀ, ଶାଶୁ ସମେତ ସମସ୍ତ ଶ୍ୱଶୁର ଘର ଲୋକ କରିଛନ୍ତି ମରଣାନ୍ତକ ଆକ୍ରମଣ। ସ୍ଥାନୀୟ ବଅଁରପାଳ ଥାନାରେ ଏଭଳି ଅଭିଯୋଗ କରିଛନ୍ତି ପୀଡ଼ିତା ପ୍ରଥମ ପତ୍ନୀ ପୁଷ୍ପଲତା ନାଏକ।

ପୁଷ୍ପଲତାଙ୍କ ଅଭିଯୋଗ ମୁତାବକ, ସେ ବୈଦିକ ରୀତିନୀତିରେ ପ୍ରତାପ ନାଏକଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରଠାରୁ ହିଁ ଶ୍ୱଶୁର ଘର ଲୋକ ଯୌତୁକ ଦାବି କରି ତାଙ୍କୁ ନାନା ନିର୍ଯାତନା ଦେଇ ଆସୁଥିଲେ। ଏ ନେଇ ସେ ଫେବ୍ରୁଆରୀ ମାସରେ ଥାନାରେ ଅଭିଯୋଗ କରିବା ସହ ବାପ ଘରେ ରହି ଆସୁଛନ୍ତି। ତାଙ୍କ ମାମଲା ଏବେ ବି ବିଚାରାଧୀନ ଥିବା ସହ ଛାଡ଼ପତ୍ର ବି ହୋଇନାହିଁ।

ଶୁକ୍ରବାର ସେ ଖବର ପାଇଥିଲେ ଯେ ତାଙ୍କ ସ୍ୱାମୀ ପ୍ରତାପ ବିନା ଛାଡ଼ପତ୍ରରେ ହିଁ ପୁଣିଥରେ ବିବାହ କରୁଛନ୍ତି। ଏ ନେଇ ଜାଣିବା ପରେ ସେ ଭାଇ ଓ ମା’ଙ୍କୁ ଧରି ଶଶୁ ଘରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ସ୍ୱାମୀ ପ୍ରତାପ ଓ ତାଙ୍କ ପରିବାର ଲୋକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କୁ ତଳେ ପକାଇ ତଣ୍ଟି ଚିପି ଦେଇଥିଲେ। ତାଙ୍କ ଚିତ୍କାର ଶୁଣି ମା’ ଓ ଭାଇ ପହଞ୍ଚି ଉଦ୍ଧାର କରିଥିଲେ।

ଶାଶୁ ଘର ଲୋକ ପୁଣିଥରେ ନିର୍ଯାତନା ଦେଇଥିବା ନେଇ ବଅଁରପାଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୁଷ୍ପଲତା। ସେ ସ୍ୱାମୀ ଓ ଶାଶୁ ଘର ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ବିନା ଛାଡ଼ପତ୍ରରେ ଦ୍ୱିତୀୟ ବିବାହ କରିଥିବାରୁ ଏହି ବାହାଘରକୁ ଅବୈଧ ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି।
ତେବେ ଏ ନେଇ ବଅଁରପାଳ ଥାନା ଅଧିକାରୀଙ୍କୁ ପଚାରିବାରୁ ଦୋଷୀକୁ ଦଣ୍ଡ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Share

Leave a Reply