ଅନୁଗୁଳ: ପିଲାଦିନେ ଆମେ ଶୁଣିଛେ ବିଜୁ ବାବୁ ସାଇକେଲ ଚଲାଇ ପାକିସ୍ଥାନର ଲାହୋର ଯାଇଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନିର୍ବାଚନ ପ୍ରଚାର ବେଳେ ସାଇକେଲ ଚଢି ଗାଁ ଗାଁ ବୁଲୁଥିଲେ ବୋଲି କୁହାଯାଏ। ସବୁଠୁ ରୋଚକ କଥା ହେଲା ଆମ ଅନୁଗୁଳ ଆଠମଲ୍ଲିକର ପେଣ୍ଟର ପି.କେ ମହାନନ୍ଦିଆ ସାଇକେଲ ଚଢି ଭାରତରୁ ୪ ହଜାର ମାଇଲ ଦୂର ସୁଇଡେନ ନିଜ ପ୍ରେମିକାଙ୍କୁ ଭେଟିବା ପାଇଁ ପଳାଇଥିଲେ।ବାଇସାଇକଲର ଆଦର ଆବହମାନ କାଳରୁ ରହିଅଛି। ଆମ ବାପା, ଜେଜେବାପା ବାହାଘର ବେଳେ ରାଲେ କି ହମ୍ବର ସାଇକେଲ ଟେ ଯୌତୁକ ପାଇଲେ ଗାଁରେ ହୁରିହାଟ ପଡ଼ି ଯାଉଥିଲା।
୧୮୧୭ ମସିହାରେ ଜର୍ମାନ ନାଗରିକ ବାରନ କାର୍ଲ ଭନ୍ ଡ୍ରେସ ସାଇକେଲ ତିଆରି କରିଥିଲେ। ସେ ସାଇକେଲ କିମ୍ଭୂତ କିମାକର ଦିଶୁଥିଲା। ପରବର୍ତ୍ତୀ ସମୟରେ ସାଇକେଲରେ ବହୁ ପରିବର୍ତ୍ତନ କରାଗଲା। ୧୮୮୫ ରେ ଇଂଲିଶ ନାଗରିକ ଜନ କେମ୍ ଷ୍ଟର୍ଲେ ନିରାପଦ ସାଇକେଲ ନିର୍ମାଣ କଲେ ଯାହାକୁ ଆରୋହୀ ମାନେ ଖୁବ୍ ପସନ୍ଦ କଲେ। ଯୁଗ ବଦଳିବା ସଙ୍ଗେ ସଙ୍ଗେ ସାଇକେଲ ଲର ଆକାର ପ୍ରକାର ମଧ୍ୟ ବଦଳିଲାଣି।ଏକ ଆକଳନରୁ ଜନ ପଡ଼ିଛି ଭାରତରେ ବର୍ଷକୁ ୧୦ ନିୟୁତ ଲରୁ ଅଧିକ ବାଇସାଇକଲ ବିକ୍ରି ହେଉଛି।
ବୟସ୍କ ଆରୋହୀ, ଯୁବ ବର୍ଗ ଏବଂ କିଡ୍ସ ମାନଙ୍କ ପାଇଁ ଅଲଗା ଅଲଗା ଢାଞ୍ଚାର ବାଇସାଇକଲ ମିଳିଲାଣି।ସାଇକେଲ ରେସ ପାଇଁ ଯେଉଁ ମାନର ତିଆରି କରାଯାଉଛି ତାର ଦାମ୍ ଲକ୍ଷାଧିକ ଟଙ୍କା। ପ୍ରାୟ ଦୁଇ ଦଶନ୍ଧି ତଳେ କେନ୍ଦ୍ର ସରକାର ସମସ୍ତ ନାଗରିକଙ୍କୁ ସପ୍ତାହକୁ ଥରେ ସାଇକେଲ ଚଢିବାକୁ ପରାମର୍ଶ ଦେଉଥିଲେ। କିନ୍ତୁ ସେତେବେଳେ ଏହି କଥାକୁ କେହି ଶୁଣିଲେ ନାହିଁ।ଏବେ ପେଟ୍ରୋଲ ଦର ବଢ଼ିବା ପରେ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାଇକେଲ ଚଢିବାକୁ କୁହାଯାଉଛି।
ହୃଦୟ ଓ ମନକୁ ଠିକ୍ ରଖିବା ପାଇଁ ସାଇକେଲ ର ଆଦର ବଢ଼ି ଚାଲିଛି।କିଛି କମ୍ପାନୀ ବ୍ୟାଟେରୀ ଯୁକ୍ତ ବାଇସାଇକଲ ମଧ୍ୟ ବାହାର କଲେଣି ଯାହା ଫଳରେ ଆରୋହୀ ଆରାମରେ ଯିବା ଆସିବା କରି ପାରୁଛି। ଦିନଥିଲା ସାଇକେଲ ଚଢିବାକୁ ଲାଇସେନ୍ସ ଆବଶ୍ୟକ ହେଉଥିଲା।ଏନ୍ଏସି କର୍ମଚାରୀ ମାନେ ଲାଇସେନ୍ସ ନଥିଲେ ମାଡ଼ି ବସି ସାଇକେଲକୁ ଅଟକାଇ ରଖୁଥିଲେ।ଆଉ ସେ ଯୁଗ ନାହିଁ। ଏବେ ନୋ ଲାଇସେନ୍ସ, ନୋ ହେଲମେଟ ସାଇକେଲ ଚଲାଅ ନୋ ଝିଂଝଟ।











