ଅନୁଗୁଳ: ପୁସ୍ତକ ଜ୍ଞାନର ଆଲୋକ ପ୍ରଦାନ କରିବା ସହ ଜୀବନର ପ୍ରକୃତ ମାର୍ଗଦର୍ଶକ ସାଜିଥାଏ। ଏହି ପରିପ୍ରେକ୍ଷୀରେ, ଆଜି ଅନୁଗୁଳର ମହିମାଜ୍ୟୋତି ଆବାସିକ ବିଦ୍ୟାଳୟଠାରେ ‘ଡ୍ରିମ୍ ଫର୍ ଅନୁଗୁଳ’ ଏବଂ ‘ଆମ ପ୍ରତିଭା ଆମ ସ୍ବାଭିମାନ’ ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପୁସ୍ତକ ଓ ଲେଖକମାନଙ୍କୁ ସମ୍ମାନ ଜଣାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।
ଏହି ଅବସରରେ ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ବିଶିଷ୍ଟ ଲେଖକ ଡ. ଧରଣୀଧର ନାଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକ କିପରି ବିଶ୍ୱରେ ପରିବର୍ତ୍ତନ ଆଣିଥାଏ, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ ଯୋଗଦେଇ ପୁସ୍ତକ ଉପହାର ଦେବା ଓ କିଣିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ପ୍ରତି ପଞ୍ଚାୟତରେ ପାଠାଗାର ସ୍ଥାପନ ପାଇଁ ସଂଯୋଜକ ଗୋପାଳ ଚନ୍ଦ୍ର ନାଏକ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ବେଳେ, ସମାଜସେବୀ ପର୍ଶୁରାମ ଦାଶ ଶିକ୍ଷାନୁଷ୍ଠାନମାନଙ୍କରେ ଏହି ଦିବସ ପାଳନ ପାଇଁ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଶିକ୍ଷଣୀୟ ପୁସ୍ତକ ବଣ୍ଟନ କରାଯାଇଥିଲା। ଅଧ୍ୟାପକ ଟୁନା ବେହେରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆକାଶ ପ୍ରଧାନ, ସୌଭାଗ୍ୟ ସାମଲ ଓ ଗୋପବନ୍ଧୁ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।












