ଅନୁଗୁଳରେ ଜିଲ୍ଲାସ୍ତରୀୟ ‘ହକ୍କାଥନ ୩.୦’: ନୂତନ ଅନ୍ୱେଷା ଓ ସର୍ଜନାତ୍ମକତାର ମହାକୁମ୍ଭ

You are currently viewing ଅନୁଗୁଳରେ ଜିଲ୍ଲାସ୍ତରୀୟ ‘ହକ୍କାଥନ ୩.୦’: ନୂତନ ଅନ୍ୱେଷା ଓ ସର୍ଜନାତ୍ମକତାର ମହାକୁମ୍ଭ

ଅନୁଗୁଳ : ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଉଚ୍ଚ ମାଧ୍ୟମିକ ସ୍ତରୀୟ ଜିଲ୍ଲାସ୍ତରୀୟ ‘ହକ୍କାଥନ ୩.୦’ ଅନୁଷ୍ଠିତ ହୋଇଛି। ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ IIT ଭୁବନେଶ୍ୱରର ପ୍ରଫେସର ନରେଶ ଚନ୍ଦ୍ର ସାହୁ ଏବଂ ୟୁନିସେଫ୍ ପରାମର୍ଶଦାତା ଜୁବୋଜ୍ୟୋତି ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ।
ଆଧୁନିକ ଯୁଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ରୋବୋଟିକ୍ସ ଏବଂ କୋଡିଂର ଗୁରୁତ୍ୱ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ୩୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ତିନୋଟି ଶ୍ରେଷ୍ଠ ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ ହୋଇଛି। ଶ୍ରୀ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶେଖ୍ ୟୁସୁଫ୍ ଆଲମ୍ ଓ ତାଙ୍କ ଟିମ୍ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଗୁରୁସୁଲେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁପ୍ରିୟା ମହାପାତ୍ର ଓ ଟିମ୍ ଦ୍ୱିତୀୟ ଏବଂ ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶୁଭେନ୍ଦୁ କୁମାର ସାହୁ ଓ ଟିମ୍ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ ଗଡ଼ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ହକ୍କାଥନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମସ୍ୟା ସମାଧାନର ଦକ୍ଷତା ବୃଦ୍ଧି କରିବା ସହ ‘ବିକଶିତ ଭାରତ’ ଗଠନରେ ଏକ ପ୍ରକୃଷ୍ଠ ମାଧ୍ୟମ ହେବ ବୋଲି ମତପ୍ରକାଶ ପାଇଛି। କାର୍ଯ୍ୟକ୍ରମ ଶେଷରେ ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Share

Leave a Reply