ଅନୁଗୁଳ: ଇନ୍ଦ୍ର ଦେବଙ୍କୁ ସନ୍ତୁଷ୍ଟ କରିବାକୁ ପୂଜାର୍ଚ୍ଚନା। ସ୍ୱଳ୍ପବୃଷ୍ଟିରୁ ଚାଷୀକୁଳଙ୍କୁ ଉଦ୍ଧାର କରିବା ପାଇଁ ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମ ଆଳୁଆମୁଣ୍ଡା ରଗଡାରେ ହୋମଯଜ୍ଞ ଆୟୋଜିତ ହୋଇଛି। କାଇଁ କେଉ କାଳରୁ ଗ୍ରାମବାସୀ ଏହି ପୂଜା କରିଆସୁଛନ୍ତି। ଏଥିପାଇଁ ସକାଳୁ ରାଜଧାନୀ ସାହିସ୍ଥିତ ରାଧାକୃଷ୍ଣ ମନ୍ଦିରରେ ପୂଜାପାଠ କରି ଭାଗବତ ଗ୍ରନ୍ଥକୁ ଗ୍ରାମବାସୀ ମାନେ ନାମ ସଂକୀର୍ତନ ଓ ଢୋଲବାଦ୍ୟ ସହ ଏକ ଶୋଭାଯାତ୍ରାରେ ନେଇ ଗ୍ରାମ ନିକଟସ୍ଥ ଆଳୁଆମୁଣ୍ଡା ରଗଡାରେ ଥିବା ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଦୁଇଟି କାଠର ଘର୍ଷଣରୁ ବାହାରୁଥିବା ଅଗ୍ନିରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ପଣ୍ଡିତ ଅଭିମନ୍ୟୁ ଶତପଥୀଙ୍କ ତତ୍ତ୍ୱାବଧାନରେ ନୈଷ୍ଠିକ ବ୍ରାହ୍ମଣମାନେ ହୋମଯଜ୍ଞ ଆଦି କର୍ମମାନ କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ଯୁବ ବିଜେଡି ନେତା ଅରୁଣାଭ ସିଂହ ଯୋଗ ଦେଇଥିଲେ। ନିକଟସ୍ଥ ଗ୍ରାମ ଲଙ୍ଗୁଳିଆବେଡା, ଗଡ଼ସନ୍ତ୍ରୀ, କଙ୍କିନାଳୀ, ଅରହାଟ ଓ ପୁରିକିଆର ଗ୍ରାମବାସୀ ସହଯୋଗ କରିଥିଲେ।