ନେଟ୍ଫ୍ଲିକ୍ସ ହେଉଛି ଏକ ଲୋକପ୍ରିୟ ଓଟିଟି ପ୍ଲାଟ୍ଫର୍ମ। ଏଥିରେ ଅନେକ ଫିଲ୍ମ, ସିରିଜ୍ ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନ ନେଟ୍ଫ୍ଲିକ୍ସକୁ ନେଇ ଖବର ଆସୁଛି ଯେ, ନେଟ୍ଫ୍ଲିକ୍ସ ଆକାଉଣ୍ଟର ପାସ୍ୱାର୍ଡକୁ ଆଉ ସେୟାର କରି ହେବନି। ଏବେ ଦେଶରେ ସମସ୍ତ ନେଟ୍ଫ୍ଲିକ୍ସ ୟୁଜର ନିଜର ଆକାଉଣ୍ଟକୁ କେବଳ ଘର ଲୋକଙ୍କ ବ୍ୟତୀତ ବାହାର ଲୋକଙ୍କୁ ପାସ୍ଓ୍ଵାର୍ଡ ସେୟାର କରିପାରିବେ ନାହିଁ।
ନେଟ୍ଫ୍ଲିକ୍ସ ଘୋଷଣା କରିଛି ଯେ, ଭାରତରେ ଆଉ ପାସ୍ୱାର୍ଡ ସେୟାରକୁ ଅନୁମତି ଦିଆଯିବ ନାହିଁ। ପ୍ରତ୍ୟେକ ଆକାଉଣ୍ଟକୁ କେବଳ ଗୋଟିଏ ଘର ବ୍ୟବହାର କରିବା ଉଚିତ ବୋଲି କମ୍ପାନୀ କହିଛି। ନେଟ୍ଫ୍ଲିକ୍ସ ଏହି ଇମେଲକୁ ସେହି ସଦସ୍ୟମାନଙ୍କୁ ପଠାଇବ, ଯେଉଁମାନେ ଭାରତରେ ନିଜ ଘର ବାହାରେ ନେଟ୍ଫ୍ଲିକ୍ସ ସେୟାର କରୁଛନ୍ତି। ନେଟ୍ଫ୍ଲିକ୍ସକୁ ଘରେ ହେଉ ଅବା ଯାତ୍ରା ସମୟରେ କିମ୍ବା ଛୁଟିଦିନ ମାନଙ୍କରେ ବ୍ୟବହାର କରିପାରିବେ ଏବଂ ଏଥିସହ ଟ୍ରାନ୍ସଫର ପ୍ରୋଫାଇଲ୍ ଏବଂ ଆକ୍ସେସ୍ ଏବଂ ଡିଭାଇସ୍ ପରିଚାଳନା ଭଳି ନୂଆ ଫିଚର୍ସର ଲାଭ ଉଠାଇ ପାରିବେ। ଏହି ଷ୍ଟ୍ରିମିଂ ଆପ୍ ଭାରତ ତଥା ଇଣ୍ଡୋନେସିଆ, କ୍ରୋଏସିଆ, ଏବଂ କେନିଆ ଭଳି ଅନ୍ୟ ବଜାରରେ ଜୁଲାଇ ୨୦ ଠାରୁ ଆକାଉଣ୍ଟ ସେୟାରିଂ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ। ଭାରତ ଏବଂ ଅନ୍ୟାନ୍ୟ ଦେଶରେ ଯେଉଁଠାରେ ପେଡ୍ ସେୟାର୍ ଆରମ୍ଭ ହୋଇନାହିଁ, ସେଠାରେ ନେଟ୍ଫ୍ଲିକ୍ସ ଏକ ଭିନ୍ନ ଉପାୟ ଅବଲମ୍ବନ କରୁଛି। ଏଠାରେ ଉପଭୋକ୍ତାମାନେ ଏକ ଅତିରିକ୍ତ ଦେୟ ଦେବାର ବିକଳ୍ପ ପାଇବେ।
ଅଂଶୀଦାରମାନଙ୍କୁ ଲେଖିଥିବା ଏକ ଚିଠିରେ ନେଟ୍ଫ୍ଲିକ୍ସ କହିଛି ଯେ, ଏହା ଭାରତୀୟ ବଜାରରେ ଅତିରିକ୍ତ ସଦସ୍ୟ ମାନଙ୍କୁ ବିକଳ୍ପ ପ୍ରଦାନ କରିବ ନାହିଁ। କାରଣ ନିକଟରେ ସେମାନେ ବିନା ମୂଲ୍ୟରେ ନେଟ୍ଫ୍ଲିକ୍ସ ଦେଖୁଛନ୍ତି, ତେଣୁ ଏଥିରେ ମୂଲ୍ୟ ହ୍ରାସ ହେବା ବ୍ୟତୀତ, ଏପର୍ଯ୍ୟନ୍ତ ସଦସ୍ୟ ମାନଙ୍କ ପ୍ରବେଶ ଅପେକ୍ଷାକୃତ କମ୍ ରହିଛି, ଯାହାକି କମ୍ପାନୀକୁ କ୍ଷତି ସହିବାକୁ ପଡୁଛି।
ଏହା ପୂର୍ବରୁ ଚଳିତ ବର୍ଷ ମେ’ ମାସରେ ନେଟ୍ଫ୍ଲିକ୍ସ ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମେକ୍ସିକୋ ଏବଂ ବ୍ରାଜିଲ ଭଳି ୧୦୦ ରୁ ଅଧିକ ଦେଶରେ ପାସ୍ୱାର୍ଡ ବଣ୍ଟନ ଉପରେ ଏହି ପ୍ରତିବନ୍ଧକ ଲଗାଇଥିଲା।