ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଶିଗଡ଼ ପଞ୍ଚାୟତ ଅନ୍ତର୍ଗତ ତିମି ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗାଁର ଅରୁଣ ପ୍ରଧାନ (୨୨) ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ଅରୁଣ ରବିବାର ମଧ୍ୟାହ୍ନରେ ଜଙ୍ଗଲକୁ କାଠ କାଟିବା ପାଇଁ ଯାଇଥିଲେ। ଗଛ ଉପରେ ଚଢ଼ି କାଠ କାଟୁଥିବା ବେଳେ ଗଛର ଉପର ଦେଇ ଟଣା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଗଛ ତଳକୁ ଖସି ପଡ଼ିଥିଲେ। ତାଙ୍କ ଗୋଡ଼ ଏବଂ ହାତ ସମେତ ଛାତି ପୋଡ଼ି ଯାଇଥିଲା। ଖବର ପାଇ ଗ୍ରାମବାସୀ ଏବଂ ପରିବାର ଲୋକେ ପହଞ୍ଚି ତାଙ୍କୁ ପାଳଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।