ଅନୁଗୁଳ: ଅନୁଗୁଳ ଜିଲ୍ଲା ଜଳତାପ ଗାଁରେ ବନ୍ଧୁକ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଅପହରଣ କରି ମାରପିଟ କରାଯାଇଥିବା ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ଜଳତାପ ଗାଁର ଧୂଳିଆ ଗଡ଼ନାୟକ କୋଶଳାରେ ଟ୍ରାକ୍ଟର ଚାଳକ ଭାବେ କାମ କରନ୍ତି। ଗତ ବୁଧବାର ରାତିରେ କାମ ସାରି ସେ କୋଶଲାରୁ ଜଳତାପ ଯାଉଥିବା ବେଳେ ଗାଁର ବନମାଳୀ ଗଡ଼ନାୟକ ଓ ସୁମନ ସିଂ ଅଧାରାସ୍ତାରେ ଅଟକାଇ ତାଙ୍କୁ ମଟରସାଇକେଲରେ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ।
ସେଠାରେ ବନମାଳୀ ଓ ସୁମନ ବନ୍ଧୁକ ନେଇଛୁ କହି ଏକ ଭୁଜାଲି ତାଙ୍କ ବେକରେ ଲଗାଇଥିଲେ। ପରେ ଏକ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କର ଗୋଡ଼ ଭାଙ୍ଗି ଦେବା ପରେ ମଟର ସାଇକେଲରେ ଆଣି ଘର ସାମ୍ନାରେ ଛାଡ଼ି ପଳାଇ ଯାଇଥିଲେ। ଏହା ଦେଖି ପରିବାର ଲୋକ ଟ୍ରାକ୍ଟର ମାଲିକଙ୍କୁ ଖବର ଦେବା ସହ ଧୂଳିଆଙ୍କୁ ପ୍ରଥମେ କୋଶଳା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ଟିକେ ସୁସ୍ଥ ଅନୁଭବ କରିବା ପରେ ସେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ବନମାଳୀ ଗଡ଼ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।