ଅପମିଶ୍ରିତ ପେଟ୍ରୋଲ ଅଭିଯୋଗ, ମାପ ଓଜନ ଓ ଯୋଗାଣ ବିଭାଗର ଯାଞ୍ଚ

0

ଅନୁଗୁଳ: ଅନୁଗୁଳ ସହରର ଏକ ପେଟ୍ରୋଲ୍ ପମ୍ପ୍ ରେ ଅପମିଶ୍ରିତ ପେଟ୍ରୋଲ ବିକ୍ରି କରାଯିବା ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗୁରୁବାର ମାପ ଓ ଓଜନ ବିଭାଗ, ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଜୋର୍‌ଦାର ଯାଞ୍ଚ କରାଯାଇଥିଲା। ମାପ, ଓଜନ ଓ ଚାପ ଠିକ୍ ଥିବା ବେଳେ ପେଟ୍ରୋଲ୍ ମାନ ଯାଞ୍ଚ ପାଇଁ ନମୁନା ପଠାଯାଇଥିବା ଜଣାଯାଇଛି l ପ୍ରକାଶ ଯେ, ବୁଧବାର ଅପରାହ୍ନରେ ଜଣେ ଯୁବକ ତାଙ୍କ ବାଇକ୍‌ରେ ପେଟ୍ରୋଲ୍ ପମ୍ପରୁ ୩୫୦ ଟଙ୍କାର ପେଟ୍ରୋଲ୍ ଭରିଥିଲେ। ମାତ୍ର କିଛି ବାଟ ଯିବା ପରେ ତାଙ୍କ ବାଇକ୍‌ର ଷ୍ଟାର୍ଟ୍ ହଠାତ୍ ବନ୍ଦ ହୋଇଯାଇଥିଲା। ତେଣୁ ସେ ଜଣେ ମେକାନିକ୍‌ଙ୍କୁ ଡକାଇ ବାଇକ୍ ଦେଖାଇଥିଲେ। ଟାଙ୍କିରେ ପାଣି ମିଶା ତେଲ ଯୋଗୁଁ ଷ୍ଟାର୍ଟ୍ ହେଉନଥିବା ମେକାନିକ୍ କହିଥିଲେ। ସମ୍ପୃକ୍ତ ଯୁବକ ମେକାନିକ୍‌ଙ୍କୁ ଧରି ପେଟ୍ରୋଲ ପମ୍ପ୍ ରେ ପହଞ୍ଚିଥିଲେ। ଏହି ସମୟରେ ଯୁବକଙ୍କ ଆଉ କିଛି ସମ୍ପର୍କୀୟ ପହଞ୍ଚି ହୋହାଲ୍ଲା କରିଥିଲେ। ବାଇକ୍ ଟାଙ୍କିରୁ ତେଲ କାଢ଼ି ଯାଞ୍ଚ କଲା ବେଳକୁ ପେଟ୍ରୋଲ୍ ସହ ପାଣି ବି ଥିବା ଜଣାପଡ଼ିଥିଲା।ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମାତ୍ର ଏହାକୁ ପେଟ୍ରୋଲ୍ ପମ୍ପ୍ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ। ପେଟ୍ରୋଲ୍‌ର ଶୁଦ୍ଧତା ନେଇ ସମସ୍ତ ପ୍ରକାର ପରୀକ୍ଷା ପାଇଁ ପ୍ରସ୍ତୁତ ଥିବା କହିଥିଲେ । ଯୁବକ ପକାଇଥିବା ପଏଣ୍ଟ୍‌ରୁ ପ୍ରାୟ ୧୦ ଲିଟର ତେଲ ବାହାର କରାଯାଇଥିଲା। ମାତ୍ର ତେଲରେ ପାଣି ମିଶିବାର କିଛି ବି ସୁରାକ ମିଳିନଥିଲା। ପରେ ଆହୁରି ତେଲ ବାହାର କରାଯାଇ ରାସାୟନିକ ପରୀକ୍ଷା କରାଯାଇଥିଲା । ହେଲେ ପାଣି ଥିବାର କୌଣସି ପ୍ରମାଣ ମିଳିନଥିଲା। ତେବେ ଏହି ଘଟଣା ନେଇ ମାଜିଷ୍ଟ୍ରେଟ୍ ସହକାରୀ ଜିଲ୍ଲାପାଳ ଦୋଳଗୋବିନ୍ଦ ସାହୁଙ୍କ ଉପସ୍ଥିତିରେ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ଅଧର ପ୍ରସାଦ ବିଶ୍ବାଳ, ଯୋଗାଣ ନିରୀକ୍ଷିକା ସ୍ବୟଂପ୍ରଭା ସ୍ୱାଇଁ, ଯୋଗାଣ ନିରୀକ୍ଷକ ସତ୍ୟବ୍ରତ ସେଠୀ, ମାପ ଓ ଓଜନ ବିଭାଗର ପୃଥ୍ବୀରାଜ ହାଁସଦା, ଏଚ୍‌ପିସିଏଲ୍‌ର ସେଲ୍ସ ଅଫିସର ସରୋଜ ବେହେରା ପ୍ରମୁଖ ପୁଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପେଟ୍ରୋଲ ପମ୍ପରେ ଯାଞ୍ଚ କରିଥିଲେ ।

Leave A Reply

Your email address will not be published.